କୋରାପୁଟ: ହସିବ କୋରାପୁଟ ସହର । କାରଣ ସହରରେ ଆରମ୍ଭ ହୋଇଛି ଅନେକ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟ । ସହରରେ ୧ କୋଟି ଟଙ୍କା ବ୍ୟୟରେ ମଡେଲ ଶ୍ମଶାନର ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଆଉ ୧ କୋଟି ଟଙ୍କାର ସ୍ମାର୍ଟ ପାର୍କ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଥିବା ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ କହିଛନ୍ତି ।
ଆଜି(ମଙ୍ଗଳବାର) ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧ୍ୟକ୍ଷତାରେ ପୌର କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଗତ ବର୍ଷକ ମଧ୍ୟରେ ଖାଲି ସ୍ଥାନର ଉପଯୁକ୍ତ ବ୍ୟବହାର ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସେପଟେ ସହରର ୨ଟି ରାସ୍ତାକୁ ମେଟ୍ରୋ ସଡକରେ ରୂପାନ୍ତରିତ କରିବାର ପ୍ରକ୍ରିୟା ମଧ୍ୟ ଚାଲିଥିବା ସାମନ୍ତରାୟ ସୂଚନା ଦେଇଛନ୍ତି ।
ସହରରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏ ଦିଗରେ ଆହୁରି ଅଧିକ ତତ୍ପରତା ପ୍ରଦର୍ଶନ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସହରରେ ଖେଳ ପଡିଆର ଅଭାବକୁ ଦୂର କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ