କୋରାପୁଟ: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭର ସମ୍ଭାବନା ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରଶ୍ନକୁ ଏଡ଼ାଇ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇ କୋରାପୁଟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏହି ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଦ୍ଵାରା ରେଳ ବିଭାଗ ମାଧ୍ୟମରେ କରାଯାଉଥିବା ବିକାଶ କଥା ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଶ୍ରୁତିର ଛକାପଞ୍ଝା ଚାଲିଥିବାବେଳେ ଗତକାଲି କେନ୍ଦ୍ରମନ୍ତ୍ରୀ ଏହି ପ୍ରଶ୍ନକୁ ଏଡାଇ ଯାଉଛନ୍ତି । ଫଳରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ନା ନାହିଁ ସେ ସମ୍ପର୍କରେ ସନ୍ଦେହ ଘନୀଭୂତ ହୋଇଛି । କୋରାପୁଟ ଜିଲ୍ଲାର ସୁନାବେଡ଼ା ଠାରେ ସ୍ଥାପିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵଦ୍ୟାଳୟରେ ଜଣେ ପ୍ରଫେସର୍ ଥିବା ଓ ପ୍ରାୟ ସମସ୍ତ ପଦବୀ ଖାଲି ପଡ଼ିଥିବା ସହ ଆନୁସଙ୍ଗିକ ଶିକ୍ଷଣ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଏହି ବିଶ୍ଵ ବିଦ୍ୟାଳୟକୁ ବହୁ ପଛକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି ।
ଏହି ସ୍ଥିତିକୁ ସ୍ବୀକାର କରି କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ ନବ ନିଯୁକ୍ତ କୁଳପତିଙ୍କ ଉପରେ ଭରସା ରଖି ତାଙ୍କ ନେତୃତ୍ୱରେ ଏହି ବିଶ୍ୱ ବିଦ୍ୟାଳୟ ଅଗ୍ରଗତି କରିପାରିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସକାଳେ କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଜେପିର କର୍ମକର୍ତ୍ତା ଭବ୍ୟ ସ୍ଵାଗତ ଜଣାଇଥିଲେ ।
ଇଟିଭି ଭାରତ, କୋରାପୁଟ