କୋରାପୁଟ: ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ତଥାପି ବର୍ଷା ପବନକୁ ଖାତିର ନ କରି ପାଖ ଆଖ ଗାଁଗଣ୍ଡାରୁ ଆଦିବାସୀ ମହିଳା ଚାଷୀ ନିଜ ବାଡ଼ି ବଗିଚାରେ ଫଳିଥିବା ପରିବା ନେଇ ସହର ମଧ୍ୟକୁ ଆସିବା ଛାଡିନାହାନ୍ତି ।
ସହର ମଧ୍ୟରେ ଆଦିବାସୀ ମହିଳା ଚାଷୀଙ୍କ ବସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି ହାଟବଜାର ପିଣ୍ଢି । ସେଠାରେ ଥିବା ଟିଣ ଛାତ ତଳେ ବସି ବ୍ୟବସାୟ ସେମାନେ କରପାରିଥାନ୍ତେ । ହେଲେ ବିକ୍ରିବଟାର ପରିବେଶ ଠିକ ନଥିବା ଓ ପ୍ରଭାବଶାଳୀ ବ୍ୟବସାୟୀ ସେମାନଙ୍କୁ ପଛରେ ପକାଇ ରାସ୍ତାକଡ଼କୁ ମାଡିଯିବାର ଭୟ ଯୋଗୁଁ ଚାଷୀମାନେ ନିଜ ଛତା ତଳେ ବସି ବ୍ୟବସାୟ କରିବା ଉଚିତ ମଣୁଛନ୍ତି । ଏହାର ସୁଯୋଗ ନେଇ ଏହି ପିଣ୍ଢିଗୁଡିକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଯାଇଥିବା ଅଭିଯୋଗ ହୋଇଛି ।
ପୌର ପ୍ରଶାସନ ପିଣ୍ଢି ଗୁଡିକର ସୁପରିଚାଳନା କରିବା ସହ ସେଠାରେ ବସିବା ପାଇଁ ସମସ୍ତ ରାସ୍ତାକଡର ବ୍ୟବସାୟୀଙ୍କୁ ତାଗିଦ କରିବାର ଆବଶ୍ୟକତା ଉପରେ ଜନମତ ସୃଷ୍ଟି ହୋଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ