କୋରାପୁଟ: ଆଠ ବର୍ଷ ଧରି ବାପା ଛେଉଣ୍ଡ ପପୀନ ମୁଦୁଲି ମୂର୍ଚ୍ଛା ରୋଗ ସହ ନିରନ୍ତର ସଂଗ୍ରାମ କରି ଚାଲିଛି । ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ଆରମ୍ଭ ହୋଇଥିବା ଏହି ରୋଗ ତାକୁ ହଷ୍ଟେଲ ଛାଡି ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ କୁଚପାର ଗାଁରେ ନିଜ ଘରକୁ ଫେରିଆସିବାକୁ ବାଧ୍ୟ କରିଥିଲା । କୁଲି କାମ କରି ଜୀବନ ଅତିବାହିତ କରୁଥିବା ମା ଭବାନୀ ଅସହାୟ ଅବସ୍ଥାରେ ଗୁଣି ଗାରେଡି କରିବା ସହ ପୁଅକୁ ଭଲ କରିବା ପାଇଁ ଯିଏ ଯେମିତି କହିଲା ତାହା ପାଳନ କରିବାକୁ ଆରମ୍ଭ କରିଥିଲେ । କିନ୍ତୁ ଫଳ ଶୂନ ହେବା ଦେଖି ହତାଶ ହୋଇ ମୁଣ୍ଡରେ ହାତ ଦେବାକୁ ବାଧ୍ୟ ହୋଇଥିଲେ । ଏପଟେ ଏପରି ଅବସ୍ଥାରେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଦେଇ ପପିନ ଫେଲ ହେବା ପରେ ଆଉ ପରୀକ୍ଷା ଦେବା ଠାରୁ ନିଜକୁ ଦୂରେଇ ଦେଇଥିଲା ପପିନ ।
2019ରେ ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ୱାର୍ଡ ସ୍ଵେଚ୍ଚାସେବୀ ସଂଗଠନର କର୍ମକର୍ତ୍ତା ଗ୍ରାମାଞ୍ଚଳର ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସର୍ଭେ କରିବା ଆରମ୍ଭ କରିଥିଲେ । ସେତିକି ବେଳେ ପପିନର ସ୍ଥିତି ସମ୍ପର୍କରେ ଜାଣିପାରି ତାକୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ମାନସିକ ସ୍ବାସ୍ଥ୍ୟ ବିଭାଗ ସହ ସମ୍ପର୍କ କରି ତାକୁ ଆବଶ୍ୟକ ହେଉଥିବା ସମସ୍ତ ଔଷଧ ଦିଆଯାଇଥିଲା । ଦୁଇବର୍ଷ କାଳ ଔଷଧ ଖାଇବା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପରେ ବର୍ତ୍ତମାନ ପପିନ ପୁଣିଥରେ ସୁସ୍ଥ ଅବସ୍ଥାକୁ ଫେରିଆସୁଛି । ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ୱାର୍ଡ ସଂସ୍ଥା ତରଫରୁ ଆର୍ଥିକ ଅନୁଦାନ ଦିଆଯାଇ ଛେଳି ପାଳନ କରିବା ପାଇଁ ସହଯୋଗ ଦିଆଯାଇଛି ।
ଏହି ଅର୍ଥ ବିନିଯୋଗ କରି ଭବାନୀ ଗୋଟିଏ ଛେଳି କିଣିଥିଲେ ଓ ଏବେ ସେହି ଛେଳିର ଦୁଇଟି ଛୁଆ ହେଲେଣି । ଏପଟେ ଆର୍ଥିକ ସ୍ଥିତି ସୁଧୁରିବା ସହ ପପିନର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ପପିନ ପାଇଁ ନୂତନ ଆଶା ସଂଚାର କରିଛି । ଆସନ୍ତା ବର୍ଷ ପୁଣିଥରେ ଦଶମ ପରୀକ୍ଷା ଦେବାପାଇଁ ସେ ଚିନ୍ତା କରିବା ଆରମ୍ଭ କରିଛି । ତେବେ କୋରାପୁଟ ଜିଲ୍ଲାରେ ପପୀନ ଭଳି ଅନେକ ଛାତ୍ରଛାତ୍ରୀ ମୂର୍ଚ୍ଛା ରୋଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ସରକାରଙ୍କ ତରଫରୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞ ରାମକୃଷ୍ଣ ସୁରଦେବ ମତ ରଖିଛନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ