କୋରାପୁଟ: ପରବ ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ଚମକିଲା ଆଦିବାସୀଙ୍କ ବ୍ୟବସାୟ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗିରଲାଗୁଡା ଗ୍ରାମର ମହିଳା ସ୍ବୟଂ ସହାୟକ ଦଳ ଅରମାସ ସହାୟତାରେ ପ୍ରଥମ ଥର ଏପରି ଏକ ମେଳାରେ ବ୍ୟବସାୟ କରିବାର ସୁଯୋଗ ପାଇ ଆନନ୍ଦିତ ହୋଇଛନ୍ତି । ଅନ୍ୟପଟେ ଗ୍ରାହକ ମଧ୍ୟ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଅଦା ଆଚାର ସହିତ ଝୁଡୁଙ୍ଗ, ସୁଆଁ, କାଙ୍ଗୁ ଭଳି ଉତ୍ପାଦ କିଣିବାର ସୁଯୋଗ ପାଇଥିଲେ ।
ଗତ ତିନିଦିନ ମଧ୍ୟରେ 60 ହଜାର ଟଙ୍କାର ବ୍ୟବସାୟ କରିଥିବା ଆଦିବାସୀ ମହିଳା ଦଳର ସଦସ୍ୟ ସାବିତ୍ରୀ ଚପାଡି ଜଣାଇଛନ୍ତି । ମେଳାରୁ ବ୍ୟବସାୟର ଧାରା ଶିଖିଥିବା ଯୋଗୁଁ ଆଗକୁ ମଧ୍ୟ ବ୍ୟବସାୟ କରିବାର ସାହସ ସଞ୍ଚରିତ ହୋଇଛି ବୋଲି ସେ କହିଛନ୍ତି ।
ସେହିପରି ସୁଦୂର ବନ୍ଧୁଗାଁ ଅଞ୍ଚଳରୁ ଆସିଥିବା ଗୋବିନ୍ଦ ମାଣ୍ଡିଙ୍ଗି ଓ ସାଥି ଲେମନ ଗ୍ରାସ ତେଲ ବିକ୍ରୟ କରି ବେଶ ଲାଭବାନ ହୋଇଥିବା ପ୍ରକାଶ କରିଛନ୍ତି । ବିଭିନ୍ନ ଔଷଧୀୟ ଗୁଣରେ ଭରପୁର ଏହି ତୈଳ ଆଶାତୀତ ଭାବେ ଗ୍ରାହକଙ୍କ ମଧ୍ୟରେ ଆଦୃତ ହୋଇଥିବା ଯୋଗୁଁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିଥିବା ଗୋବିନ୍ଦ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ