କୋରାପୁଟ: ଆଜି ଜୟପୁର ୧୨ ଘଣ୍ଟିଆ ବନ୍ଦ ଡାକରା । ଜୟପୁରରେ ସ୍ୱାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାକୁ ଗଣ ଦୁଷ୍କର୍ମ ନେଇ ମହିଳା ଥାନାରେ ଅଭିଯୋଗ କରାଯାଇଛି । ହେଲେ ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏହାକୁ ବିରୋଧ କରି ଆଜି ବିଜେପି ନେତା ଗୌତମ ସାମନ୍ତରାଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଜୟପୁରରେ ଯାନବାହନ ଚଳାଚଳ ଓ ଦୋକାନ, ବଜାର ବନ୍ଦ ରହିଛି ।
ସକାଳ ୬ ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଏନେଇ ୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ରାଜରାସ୍ତାକୁ ବିଜେପି ଓହ୍ଲାଇବା ନେଇ ଗତ ଦିନରେ ଏସଡିପିଓଙ୍କୁ ସାକ୍ଷାତ କରି ଚେତାବନୀ ଦେଇଥିଲା ବିଜେପି ।
ସୂଚନାଅନୁଯାୟୀ କୋରାପୁଟ ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁରେ ଗତ ୨୪ତାରିଖ ଦିନ ସ୍ୱାମୀ, ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ୨ ଜଣ ଦୃବୁର୍ତ୍ତ ଘର ପଛ ପଟେ ପଶି ସ୍ୱାମୀକୁ ନିସ୍ତୁକ ମାଡ ମାରିଥିଲେ । ଓ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ବନ୍ଧୁକ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ୨ ଦୁର୍ବୃତ୍ତ । ଏନେଇ ମହିଳା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ