କୋରାପୁର: ଭାରତମାଳ ଯୋଜନାରେ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । କୋରାପୁଟ ଜିଲ୍ଲା ଦେଇ ରାୟପୁରରୁ ବିଶାଖାପାଟଣାକୁ ମାତ୍ର ସାତ ଘଣ୍ଟାରେ ଯାତ୍ରା କରିବା ଉଦ୍ଦେଶ୍ୟରେ ଭାରତମାଳ ଯୋଜନାରେ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । କିନ୍ତୁ ଏହି ପ୍ରକଳ୍ପରେ ଜମି ହରାଉଥିବା ଲୋକେ ଏବେଠାରୁ ଆତଙ୍କିତ ହୋଇଗଲେଣି ।
ବିଶେଷକରି ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ଦ୍ବାରା ନିର୍ଧାରିତ ମୂଲ୍ୟ ଅତି ମାତ୍ରାରେ ନ୍ୟୁନ ଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଦେଇଛି । ମହାଦେଇପୁଟ ଓ ମସ୍ତିପୁଟ ପଞ୍ଚାୟତରେ ଏକର ପିଛା ବଜାର ଦର 14ରୁ 15 ଲକ୍ଷ ପର୍ଯ୍ୟନ୍ତ ଥିବା ବେଳେ ସରକାର ମାତ୍ର 20 ରୁ 30 ହଜାର ଟଙ୍କା ଦେବା ପାଇଁ ପ୍ରସ୍ତାବ ରଖିବା ଆଦୌ ଗ୍ରହଣୀୟ ନୁହେଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି ।
ମଙ୍ଗଳବାର ଏହି ଦୁଇ ପଞ୍ଚାୟତର ଜମି ହରାଉଥିବା ଲୋକମାନେ କୋରାପୁଟରେ ଏକ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରଛନ୍ତି । ଚଳିତ ମାସ 21 ତାରିଖରେ କୋରାପୁଟରେ ହେବାକୁ ଥିବା ଜନଶୁଣାଣୀ ପୂର୍ବରୁ ଜମିହରାଙ୍କ ଏହି ଦାବି ଉପସ୍ଥାପନାର ଗୁରୁତ୍ବ ବୃଦ୍ଧି କରିଛି ।
ଉପଯୁକ୍ତ କ୍ଷତିପୂରଣ ଦିଆ ନଗଲେ ଭାରତନିର୍ମାଣ ଯୋଜନା ଅନ୍ତର୍ଗତ ରାସ୍ତା ନିର୍ମାଣ କରିବାକୁ ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି । ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଗୁଡା ଗାଁର ବହୁ ଘର ଏହି ରାସ୍ତା ନିର୍ମାଣରେ ପ୍ରଭାବିତ ହେଉଥିବା ଯୋଗୁଁ ସେହି ଗାଁର ଲୋକେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ।
ରାୟପୁର ଓ ବିଶାଖାପାଟଣା ମଧ୍ୟରେ ବର୍ତ୍ତମାନ ଦୂରତା 514 କିଲୋମିଟର ରହିଥିବା ବେଳେ ନୂତନ ଭାବେ ଏନଏଚଏଆଇ ଦ୍ବାରା ପ୍ରସ୍ତାବିତ ଭାରତମାଳା ସଡକ ଯୋଜନାରେ ଏହା କମିଯାଇ 464 କିଲୋମିଟର ହୋଇଯିବ ।
6 ଲେନ ସମ୍ପନ୍ନ ଏହି ରାସ୍ତାରେ ଗାଡ଼ି ଗୁଡିକର ହାରାହାରି ସର୍ବନିମ୍ନ ବେଗ ଘଣ୍ଟାକୁ 70 କିଲୋମିଟର ବେଗ ରହିଛି ଯାହାକି ବର୍ତ୍ତମାନର ହାରାହାରି ବେଗ ଠାରୁ ପ୍ରାୟ ଦୁଇଗୁଣ ରହିଛି । ଏହି ସଡକ ଛତିଶଗଡ଼ ରାଜ୍ୟରେ 124.661 କିଲୋମିଟର ବାଟ ଅତିକ୍ରମ କରି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ ।
ନବରଙ୍ଗପୁର ଜିଲ୍ଲାରେ 114.989 କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଦଶମନ୍ତପୁର, କୋରାପୁଟ, ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଛି । କୋରାପୁଟ ଜିଲ୍ଲାରେ ସମୁଦାୟ 125.383 କିଲୋମିଟର ରାସ୍ତା ଗଲା ପରେ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଉ ବାକି 99.6129 କିଲୋମିଟର ରାସ୍ତା ଦେଇ ବିଶାଖାପାଟଣାରେ ଏହି ସଡକ ପହଞ୍ଚିବାର ଯୋଜନା ରହିଛି ।
ତେବେ କୋରାପୁଟ ଜିଲ୍ଲାର ଜଳଭଣ୍ଡାର, ଖଣିଖାଦାନ ପ୍ରତିଷ୍ଠା କରିବା ପାଇଁ ଜମି ହରାଇ ଉପଯୁକ୍ତ କ୍ଷତିପୂରଣ ପାଇଁ ଏପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିବା ଏଅଞ୍ଚଳର ଆଦିବାସୀଙ୍କ ମନରେ ନ୍ୟାୟ ପାଇବାକୁ ନେଇ ସନ୍ଦେହର ଦାନା ବାନ୍ଧିବା ଆରମ୍ଭ ହୋଇଯାଇଛି ।
ଏହି ପ୍ରକଳ୍ପରେ ଜମି ହରାଇବାକୁ ଥିବା ଗ୍ରାମବାସୀ ଜମି ବଦଳରେ ଉପଯୁକ୍ତ ଜମି ଦିଆଯିବା ପାଇଁ ଦାବି କରିଛନ୍ତି । ଏହି ଗ୍ରାମ ଗୁଡିକର ଲୋକଙ୍କ ଜମିରେ ଅଧିକାରୀମାନେ ରାସ୍ତାର ସୀମା ନିର୍ଦ୍ଧାରଣ କରିବା ପାଇଁ ପୋଲ ପୋତି ସାରିଥିବା ବେଳେ ଜମି ହରାଇ ଆଦିବାସୀ ନିଶ୍ବ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ