କୋରାପୁଟ: ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ସୁନାବେଶରେ ଝଟକିଲେ ରଥାରୁଢ଼ ମହାବାହୁ । ରାଜରାଜେଶ୍ବର ବେଶରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । ତିନି ରଥରେ ଅଧରପଣା ଲାଗି ହୋଇଥିବା ବେଳେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତୀଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ ।
ପବିତ୍ର ହରିଶୟନ ଏକାଦଶୀ ଅବସରରେ ଶାବର ଶ୍ରୀକ୍ଷେତ୍ର ଭବେ ପରିଚିତ କୋରାପୁଟର ବଡଦାଣ୍ଡରେ ଆଜି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅପରାହ୍ନରେ ମନ୍ଦିରରୁ ସୁରକ୍ଷା ବଳୟ ଭିତରେ ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ନାନା ଅଳଙ୍କାର ଆଣି ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହା ସହିତ ଆଜି ତିନି ରଥରେ ଅଧରପଣା ଭୋଗ ଲାଗି କରାଯାଇଛି । ଅତୃପ୍ତ ଅଶରିରୀଙ୍କୁ ତୃପ୍ତ କରିବା ଉଦ୍ଦେଶ୍ୟରେ ଅଧରପଣାର ବିଧି କରାଯାଇଥାଏ । ଆସନ୍ତାକାଲି ରଥ ଉପରେ ସନ୍ଧ୍ୟା ଆଳତୀ ପରେ ଗୋଟି ପହଣ୍ଡିରେ ଶ୍ରୀଜିଉ ନିଳାଦ୍ରୀ ବିଜେ କରିବେ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, କୋରାପୁଟ