ଭୁବନେଶ୍ବର: ବୋରିଗୁମ୍ମାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତା ତସ୍କରୀ ବେଳେ ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । କୋରାପୁଟ ଜିଲ୍ଲା ବୋରିଗୁମା ବାଏପାସ କଡ଼ରେ ବଜ୍ରକାପ୍ତା ତସ୍କରି ବେଳେ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଜୀବନ୍ତ ବଜ୍ରକାପ୍ତାକୁ ୪ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ କରାଯାଉଥିଲା । ଏକ ଅଖା ଭିତରେ ତାକୁ ଭର୍ତ୍ତି କରି ଡିଲ କଲାବେଳେ ଏସଟିଏଫ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ଅଭିଯୁକ୍ତ ଦୁଇ ଜଣ ବିନ୍ଧାଣିଗୁଡ଼ାର ମାଧବ ପରଜା ଓ ଜଗବନ୍ଧୁ ପରଜା ହୋଇଥିବା ଜଣାପଡ଼ିଛି । ଓ୍ବାଇଲ୍ଡ ଲାଇଫ ଆକ୍ଟ ଆଧାରରେ ଏସଟିଏଫ ଟିମ୍ ଉଭୟଙ୍କୁ ଗିରଫ କରିଛି। ବଜ୍ରକାପ୍ତା ଜବତ ପରେ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଥାଉକି, ୨୦୨୦ ମସିହାରୁ ଏଯାଏ ୨୫ଟି ବାଘ ଛାଲ ଜବତ କରାଯାଇଛି । ସେହିଭଳି ୧୩ଟି ହାତୀଦାନ୍ତ ୭ଟି ହରିଣ ଛାଲ ଏବଂ 11ଟି ଜୀବନ୍ତ ବଜ୍ରକାପ୍ତା ସହ ୧୬କେଜି ବଜ୍ରକାପ୍ତା ଛାଲ ଜବତ କରାଯାଇଛି । ବନ୍ୟପ୍ରାଣୀ ତସ୍କରୀ ମାମଲାରେ ଏଯାଏ ୫୭ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍।
ଭୁବନେଶ୍ବରରୁ ତାପସ ପରିଡା ଓ କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ