କୋରାପୁଟ : କୋରାପୁଟରେ ଆଜି ରାଜ୍ୟସ୍ତରୀୟ ମାତୃଭାଷାଭିତ୍ତିକ ବହୁଭାଷୀ ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗ ଦେଇଥିବା ଅତିଥିମାନେ ମାତୃଭାଷାକୁ ନେଇ ବିଭିନ୍ନ ଆଲୋଚନା କରିଥିଲେ । ମାତୃଭାଷା ତଥା ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଭଳି ନିଜ ଭାଷାରେ ଦିଆଯାଉଥିବା ବାର୍ତ୍ତା ସମସ୍ତଙ୍କ ପାଇଁ ସହଜରେ ବୁଝିବାରେ ସହାୟକ ହୁଏ ।
ତେବେ ଆଦିବାସୀ ଭାଷାରେ ବାର୍ତ୍ତାକୁ ଆକର୍ଷଣୀୟ ଢଙ୍ଗରେ ରଚନା କରିବା, ତାକୁ ସଙ୍ଗୀତ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ କଷ୍ଟକର । ତଥାପି ସାମୁହିକ ଭାବରେ ହେଉଥିବା ପ୍ରୟାସ ସଫଳ ହେବାର ଆନନ୍ଦ ସମସ୍ତ କଷ୍ଟ କରିବାରେ ସାହସ ପ୍ରଦାନ କରିଥାଏ ବୋଲି ଉପସ୍ଥିତ ଅତିଥିମାନେ ମନ୍ତବ୍ୟ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ କୋରାପୁଟସ୍ଥିତ ଶୋଭା ସଂଗଠନ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ବର୍ଷ ଧରି ଜିଲ୍ଲାର ବିଭିନ୍ନ ଆଦିବାସୀ ଭାଷାରେ ପିଲାଙ୍କ ଶିକ୍ଷା ଗ୍ରହଣରେ ସଂସ୍କାର ପାଇଁ ପ୍ରାଥମିକ ଖସଡ଼ା ପ୍ରସ୍ତୁତ କରାଯାଇଛି । ସେହିଭଳି କୋରାପୁଟରୁ କେନ୍ଦୁଝର ପର୍ଯ୍ୟନ୍ତ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ତଥା ସରକାରୀ ବିଭାଗ ଦ୍ଵାରା ଅନେକ ପ୍ରୟାସ କରାଯାଇଛି । ଶ୍ରେଣୀ ଗୃହରେ ପିଲାଏ ନିଜ ମାତୃଭାଷାରେ ପାଠ ପଢିବା ଦ୍ଵାରା ସେମାନଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ହେବ ।
ଏ ସମ୍ପର୍କରେ ସମ୍ମାନିତ ଅତିଥି ରାୟଗଡ଼ାର ଏକ ସ୍କୁଲ୍ର ପ୍ରଧାନ ଶିକ୍ଷକ ଦ୍ୱିତି ଚନ୍ଦ୍ର ସାହୁ କହିଛନ୍ତି "ପିଲାଙ୍କୁ ଏକ ନୂଆ ତରିକା ପାଠ ପଢ଼ାଇବା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ । ତେବେ ଏଥିରେ ସବୁଠାରୁ ବଡ଼ କଥା ହେଲା ଆମକୁ ଏକ ନୂଆ ଅଭିଜ୍ଞତା ମିଳିବ । ଏଯାଏଁ ଆମର ନିଜର ବୁଦ୍ଧି ଦେଖାଇ ପିଲାଙ୍କ ଉପରେ ତାହା ଲଦି ଦେଉଥିଲେ । ହେଲେ ବର୍ତ୍ତମାନ ଏବେ ସେଥିରେ ପରିବର୍ତ୍ତନ ହେବାକୁ ଯାଉଛି । ପିଲାଙ୍କ ଭାଷାକୁ ଆଧାର କରି ଶିକ୍ଷା କ୍ଷେତ୍ରରେ ସାମିଲ କରିବା ହେଉଛି ଏକ ବଡ଼ ପ୍ରକ୍ରିୟା । କାରଣ ଏଥିରେ ସେମାନଙ୍କର ସଂସ୍କୃତି, ଢଗଢମାଳି, ଗୀତ, ନାଚ, ଲୋକ କଥା ଏସବୁ ସଂଶ୍ଲିଷ୍ଟ ରହିବ । ଏହାସହ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ସେମାନଙ୍କ ଭାଷା ବି ପରିବର୍ତ୍ତନ ହେଉଛି ତାର ଶବ୍ଦକୋଷ ପ୍ରସ୍ତୁତ କରିବା ଏକ ବଡ଼ କାମ । ଏହାଏକ ବଡ଼ ସୁଯୋଗ ବି ଆଣି ଦେଇଛି । ଜନଜାତିର ସଂସ୍କୃତି ଲୋକଲୋଚନକୁ ଆସିବ ଏହାସହ ଜନଜାତିର ପିଲାମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ।"
ସେହିପରି ରାଜ୍ୟସ୍ତରୀୟ ସାଧନ କର୍ମୀ କାଳୁଚରଣ ଛୋଟରାଏ କହିଛନ୍ତି "ଗୋଟିଏ ପିଲାକୁ ଯଦି ତା ଭାଷାରେ ତାକୁ ପଢ଼ାଯାଏ ତାହାଲେ ସେ ସହଜରେ ଗ୍ରହଣ କରିଥାଏ । କିନ୍ତୁ ଏହା ସବୁ ଶିକ୍ଷକଙ୍କ ପାଖରେ ସମ୍ଭବପର ନୁହେଁ ଯେ ପିଲାର ଭାଷା ବୁଝି ପାରିବେ । କାରଣ ଗୋଟିଏ ପିଲା ଜଣେ ଶିକ୍ଷକଙ୍କ ଭାଷାକୁ ବୁଝି ଶିକ୍ଷା ଗ୍ରହଣ କରିବା ତା ପକ୍ଷେ କଷ୍ଟକର ଠିକ୍ ସେମିତି ଶିକ୍ଷକଙ୍କ ପାଖରେ ବି କଷ୍ଟସାଧ୍ୟ । ତେଣୁ ଆମେ କେବେ କହି ପାରିବାନି ଜଣେ ଶିକ୍ଷକ ପ୍ରଥମେ ପିଲାର ଭାଷା ଶିଖନ୍ତୁ ତା ପରେ ଶିଖାଇବେ । ଏଥିପାଇଁ ସ୍କୁଲକୁ ବି ଅଧିକ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ରହିଛି ।"
ଇଟିଭି ଭାରତ, କୋରାପୁଟ