କୋରାପୁଟ: କୋରୋନା କେତେବେଳେ ଚାଷୀକୁ ଅଭାବୀ ବିକ୍ରିର ଜାଲରେ ଛନ୍ଦି ଦେଇଥିଲା ତ ଆଉ କେତେବେଳେ ଗ୍ରାହକକୁ ଆକାଶଛୁଆଁ ଦରରେ ପରିବା କିଣିବା ପାଇଁ ବାଧ୍ୟ କରିଛି । ତେବେ ଶ୍ରାବଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ମାଟି ତଳୁ ଫୁଟିଉଠିଥିବା ଶ୍ରାବଣ ଛତୁକୁ ସଂଗ୍ରହ କରି ବଜାରକୁ ଆଣିଥିବା ଆଦିବାସୀ ମହିଳାଙ୍କୁ ଆନନ୍ଦ ଆଣିଦେଇଛି । ଆଉ ହାତ ପାଆନ୍ତାରେ ଦୁର୍ଲଭ ଛତୁ ଟିକେ ପାଇ ତାଠାରୁ ଅଧିକ ଉଲ୍ଲସିତ ହୋଇ ଉଠିଛନ୍ତି ଗ୍ରାହକ ।
କୋରାପୁଟ ମାଟିରେ ଜନ୍ମ ନେଇଥିବା ବରିଷ୍ଠ ନାଗରିକ ତେଜେଶ୍ୱର ରାଓ ଚାଙ୍ଗୁଡ଼ି ଭର୍ତ୍ତି ଛତୁକୁ ଶହେ ଟଙ୍କାରେ କିଣିବା ଦିନ ଗୁଡିକୁ ମନେ ପକାଉଥିଲେ ହେଁ ଆଜି 500 ଟଙ୍କାରେ ଏକ କିଲୋ ଛତୁ କିଣିବାକୁ ପଛେଇ ନାହାଁନ୍ତି । ଏହି ଛତୁ କୋରାପୁଟ ବଜାରରେ କେବଳ ଦୁଇମାସ ମିଳୁଥିବା ଯୋଗୁଁ ତାକୁ ବଣ ଜଙ୍ଗଲରୁ ସଂଗ୍ରହ କରି ଆଣୁଥିବା ରୁକ୍ମିଣୀ ଗୌଡ଼ ଭଳି ମହିଳା ଓ ତେଜେଶ୍ୱରଙ୍କ ଭଳି ଗ୍ରାହକଙ୍କୁ ଶ୍ରାବଣରେ ମଜା ନେବାରେ କୋରୋନା ଯେ ପ୍ରଭାବିତ କରିନାହିଁ ତାହା ସ୍ପଷ୍ଟ ବାରି ହୋଇପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ