କୋରାପୁଟ: ସୁନାବେଡାରେ ଆଶାନ୍ତି । ଥାନା ସମ୍ମୁଖରେ ମୃତଦେହ ରଖି ଏନଏଚ ଅବରୋଧ । ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିବା ଦାବି କରିଛନ୍ତି ମୃତକ ପରିବାର । ସୂଚନା ଅନୁଯାୟୀ ସୁନାବେଡା ଥାନା ଅନ୍ତର୍ଗତ ପୁରୁଣା ସୁନାବେଡା ଓ କାକିଗାଁ ମଧ୍ୟର ବିବାଦ ଘଟଣାରେ ପୁରୁଣା ସୁନାବେଡାର ଯୁବକ ଚନ୍ଦ୍ରଶେଖରକୁ ଅପହରଣ କରି ମାଡ ମାରି ଫୋପାଡିଦେବା ଅଭିଯୋଗ ହୋଇଛି । ବ୍ରହ୍ମପୁର ବଡ ମେଡିକାଲରେ ଗୁରୁତର ଚନ୍ଦ୍ରଶେଖରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ଏହା ପରେ ୨୬ ନଂ ଜାତୀୟ ରାଜପଥର ସୁନାବେଡା ଥାନା ସମ୍ମୁଖରେ ମୃତଦେହ ରଖି ଲୋକେ ରାସ୍ତାରୋକ କରିଥିଲେ । ଘଟଣାରେ ଜଡିତ ଲୋକଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ହେଁ ଏହି ରାସ୍ତା ରୋକ ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିଲା । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାର ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ।
ତେବେ କୌଣସି କାରଣରୁ ମଧ୍ୟ ଜାତୀୟ ରାଜପଥ ଅବରୋଧ କରାଯାଇପାରିବ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ବେଳେ ପୋଲିସ କାହିଁକି ଯେ ପ୍ରତିଥର ଆନ୍ଦୋଳନକାରୀଙ୍କୁ ରାଜପଥ ଅବରୋଧରୁ ନିବୃତ୍ତ କରି ପାରୁନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ