କୋରାପୁଟ: ମାଓଗଡ଼ କୁହାଯାଉଥିବା ମାଛକୁଣ୍ଡରେ ବିଏସଏଫର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ବିଏସଏଫ ଅନେକାଂଶରେ ସଫଳତା ହାସଲ କରିଛି । ଗତ କିଛି ଦିନ ପୂର୍ବେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧିନ କୋଡ଼ାପୁଟ ଓ ଗୁମୁଡ଼ାପୁଟ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । ସାଧାରଣ ବ୍ୟକ୍ତି ତଥା ଯବାନମାନଙ୍କ ଟାର୍ଗେଟରେ ବ୍ୟବହାର ପାଇଁ ଏହା ଗଛିତ ରଖାଯାଇଥିବା ନେଇ ଆଶଙ୍କା କରିଥିଲା କୋରାପୁଟ ପୋଲିସ । ଏପରି ପରିସ୍ଥିତିରେ ମାଛକୁଣ୍ଡର ବାରଙ୍ଗବାଡ଼ିଠାରେ ବିଏସଏଫ ଦ୍ୱାରା ଅନୁଷ୍ଠିତ ଜନସମ୍ପର୍କ ଶିବିର ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି ।
ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଗାଁ ଗାଁରେ ପହଞ୍ଚିବା ସହିତ ଏହି ଅଞ୍ଚଳରେ ବିକାଶ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ନ ହେବ, ସେ ଦିଗରେ ପ୍ରୟାସ ଜାରି ରହିଛି । 24 ଘଣ୍ଟା ଅଞ୍ଚଳବାସୀଙ୍କୁ ବିଏସଏଫ ସୁରକ୍ଷା ଦେଇଆସିଛି । ମାଛକୁଣ୍ଡ 65 ନମ୍ବର BSF ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର ସହ ମେଡିକାଲ କ୍ୟାମ୍ପ ମଧ୍ୟ କରାଯାଇଥିଲା । ନିକଟରେ ଥିବା 4ଟି ପଞ୍ଚାୟତର 33 ଗ୍ରାମରୁ ଅନେକ ଗ୍ରାମବାସୀ ଏହି ଶିବିରକୁ ଆସିଥିଲେ । ବିଭନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଏସଏଫର ପ୍ରଶିକ୍ଷିତ କୁକୁରଙ୍କୁ ନେଇ ଆୟୋଜିତ 'ଡଗ୍ ଶୋ' ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା l
ଏହା ମଧ୍ୟ ପଢନ୍ତୁ...ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର
ଏହାସହ କିଛି ଗରିବ ପରିବାରଙ୍କୁ ମଧ୍ୟ ବିଏସଏଫ ଦ୍ୱାରା ଅତି ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବିଏସଏଫ DIG ଶୈଳେଶ କୁମାର କହିଛନ୍ତି, "ଅଞ୍ଚଳବାସୀ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବରେ ଏହି ଅଞ୍ଚଳକୁ ନକ୍ସଲ ମୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ । 2010 ମସିହାରେ ନକ୍ସଲଙ୍କ ଦବଦବା ଥିବାବେଳେ ଉଭୟ କେନ୍ଦ୍ର ସରକାର ଏବଂ ଓଡି଼ଶା ସରକାରଙ୍କ ମିଳିତ ଉଦ୍ୟମରେ ବିଏସଏଫକୁ ମୁତୟନ କରାଯାଇଥିଲା । ଏବେ ଅଞ୍ଚଳରେ ବିକାଶ ସବୁ ଗ୍ରାମକୁ ଛୁଇଁଛି ।" ଏହାସହ ମାଓବାଦୀ ତଥା ମାଓ ସମର୍ଥକମାନେ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଅପିଲ କରିଛନ୍ତି ବିଏସଏଫ DIG ଶୈଳେଶ କୁମାର ।
ଇଟିଭି ଭାରତ, କୋରାପୁଟ