କୋରାପୁଟ: ଆଜି (ମଙ୍ଗଳବାର) ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ । 3 ଠାକୁରଙ୍କ ରଥ କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ ହୋଇଥାଏ । ଏହି କ୍ରମରେ ଶାବର ଶ୍ରୀକ୍ଷେତ୍ରର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟବହୃତ ହେବାକୁ ଥିବା ରଥର ଏକ ନମୁନା ପ୍ରସ୍ତୁତ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ମୁଖରେ ଉପସ୍ଥାପନା କରାଯାଇଛି ।
ମୁଖ୍ୟ ବଢ଼େଇ ସନ୍ୟାସୀ ମାଝୀଙ୍କ ନେତୃତ୍ବରେ ୧୨ ଜଣ ଦକ୍ଷ ବଢେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଚକ୍ରବର୍ତ୍ତୀ ଓ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ମନ୍ଦିରର ସମ୍ପାଦକ ଗଦାଧର ପରିଡା ଏବଂ କମିଟିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ତିନି ରଥରେ ଲାଗୁଥିବା କାଠର ସ୍ଵତନ୍ତ୍ର ପୂଜା କରାଯାଇ ସମସ୍ତ ରଥ ନିର୍ମାଣର ଶୁଭାରମ୍ଭ କରାଯାଇଛି । ଏହି ରଥ ଗୁଡିକର ନିର୍ମାଣ କାର୍ଯ୍ୟ ଜୁନ ମାସ ଶେଷ ସୁଦ୍ଧା ସମ୍ପନ୍ନ ହେବ ବୋଲି ଜଣା ପଡିଛି । ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବ ଗତ ରବିବାର କଳସଯାତ୍ରା ସହ ଆରମ୍ଭ ହୋଇଥିଲା । ତିନିଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇ ଆଜି ପୂର୍ଣ୍ଣାହୁତି ଦିଆଯାଇଛି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ