କୋରାପୁଟ: ଶୁକ୍ରବାର ଜିଲ୍ଲାରେ 183 ଜଣ ସାମ୍ବାଦିକ କୋଭିଡ ଟିକା ପାଇବା ସହ ଦ୍ଵିତୀୟ ଡୋଜ ନେଉଥିବା ପ୍ରାୟ 4500 ଜଣ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ମଧ୍ୟ ହୋଇଯାଇଛି । ଏଯାବତ୍ ଜିଲ୍ଲାରେ ପ୍ରଥମେ 60 ବର୍ଷରୁ ଊର୍ଦ୍ଧ୍ଵ ଓ ପରବର୍ତ୍ତୀ ପର୍ଯ୍ୟାୟରେ 45 ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତି ବିଶେଷଙ୍କୁ ନେଇ ସମୁଦାୟ 2.35 ଲକ୍ଷ କୋଭିଡ ଟିକା ପ୍ରଦାନ କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ପ୍ରଦାନ କରିଛନ୍ତି ।
ତେବେ ଆଗ ଅପେକ୍ଷା ବର୍ତ୍ତମାନ କମ ସଂଖ୍ୟକ ଟିକା ଆସୁଥିବା ଯୋଗୁଁ ଆବଶ୍ୟକ ସଂଖ୍ୟକ ଟିକା ଆସିବା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ନେଉଥିବା ବ୍ୟକ୍ତି ବିଶେଷଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେ ଜଣାଇଛନ୍ତି । ଶୁକ୍ରବାର ଦିନ ଜିଲ୍ଲାକୁ 4800 ଟିକା ଆସିଥିବା ବେଳେ ଶନିବାର ଆଉ 5000 ଟିକା ଆସୁଥିବା ଡାକ୍ତର ବେଉରା ଜଣାଇଛନ୍ତି ।
ତେବେ ଆଗକୁ ଜିଲ୍ଲାକୁ ଆସୁଥିବା ଟିକାର ସଂଖ୍ୟା ବଢିଲେ ପ୍ରଥମ ଡୋଜ ଟିକା ପାଇବା ପାଇଁ ଏ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବ୍ୟକ୍ତିମାନଙ୍କ ଟୀକାକରଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ