କୋରାପୁଟ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ ପ୍ରଶାସନ ଦ୍ବାରା ମନମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବି ଗୁଡିକୁ ପୁନଃବିଚାର କରିବା ପାଇଁ ଉଠିଛି ଦାବି । ଓଡିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ରହିଛି । ଏହାକୁ ନେଇ 'ଗ୍ରାମସଭା ସମୂହ ଓଡିଶା' ଓ 'ସିଏସଡି, ଓଡିଶା' ପକ୍ଷରୁ ଦୃଢପ୍ରତିବାଦ କରାଯାଇଛି ।
ଏନେଇ ସୋମବାର ଲୋକବିକାଶ ମଞ୍ଚ, ଓ କୋରାପୁଟିଆ ଜନ ସୁରକ୍ଷା ସଂଘର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇଛନ୍ତି । ଏକ ବିରାଟ ରାଲିରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ପ୍ରଭାବିତ ଲୋକେ । ଏହାବ୍ୟତୀତ ପ୍ରତିକାର ସ୍ବରୁପ ଓ ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରଣ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାରା, ଇଟିଭି ଭାରତ