କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦରେ ଛନ୍ଦି ହୋଇପଡିଥିବା 5ଟି ଗାଁକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ନାରିଡିବାଲସା, ଆରଜୁବାଲାସା, ତାଡିବାଲାସା ଓ ଝାଙ୍କରବାଲାସା ଗାଁର ଲୋକଙ୍କୁ ନେଇ ନାରିଡିବାଲସା ଠାରେ ଏହି ଶିବିର ଆୟୋଜିତ ହୋଇଛି।
ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଉପସ୍ଥିତିରେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନହିତକାରକ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ଲୋକଙ୍କ ପାଖରେ ଥିବା ପୁରୁଣା ଜବ୍ କାର୍ଡକୁ ଫେରସ୍ତ ନେଇ ସେମାନଙ୍କୁ ନୂତନ ଜବ୍ କାର୍ଡ ପ୍ରଦାନ କରାଯାଇଥିଲା । ନୂତନ ଭାବେ 4ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଥିଲା।
ଏହି ଅବସରରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରରେ ପ୍ରାଥମିକ ଚିକିତ୍ସା କରାଯିବା ସହ ବିନା ମୂଲ୍ୟରେ ଔଷଧ ବଣ୍ଟନ କରାଯାଇଥିଲା। ଗତ କିଛି ବର୍ଷ ଧରି ଆନ୍ଧ୍ର ସରକାରଙ୍କ ଦ୍ବାରା କୋଟିଆର ଆଭ୍ୟନ୍ତରୀଣ ଭାଗରେ ବିଭିନ୍ନ ଶିବିର ଆୟୋଜିତ ହୋଇଆସୁଥିବାବେଳେ ଚଳିତ ବର୍ଷର ଆରମ୍ଭରୁ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ଲୋକେ ସ୍ବାଗତ କରିଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ