ରାଇରଙ୍ଗପୁର (ମୟୂରଭଞ୍ଜ): ଦୀର୍ଘ କସରତ ପରେ ବନ ବିଭାଗ ପଞ୍ଝାରେ ପଡିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରୁ ବାହାରି ଯାଇଥିବା ବହୁଚର୍ଚ୍ଚିତ ବଘୁଣୀ ‘ଜୀନତ’ । ଆଜି ପଶ୍ଚିମବଙ୍ଗର ବାଙ୍କୁଡା ଜଙ୍ଗଲରେ ଜୀନତକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରାଯାଇ କାବୁ କରାଯାଇଛି । ଟ୍ରାଙ୍କୁଲାଇଜ୍ କରିବା ପରେ ତାକୁ ସ୍ବତନ୍ତ୍ର ଯନ୍ତାରେ ରଖାଯାଇଛି । ସ୍ବତନ୍ତ୍ର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଟିମ୍ ତାର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଖୁବଶୀଘ୍ର ତାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ଅଣାଯିବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।
- 10 ତାରିଖରୁ ଶିମିଳିପାଳ ଛାଡିଥିଲା ଜୀନତ :-
ଚଳିତମାସ (ଡିସେମ୍ବର) 10 ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡି ଝାଡଖଣ୍ଡ ଜଙ୍ଗଲରେ ପ୍ରବେଶ କରିଥିଲା ଜୀତନ । ପରେ ସେଠାରୁ ସେ ପଶ୍ଚିମବଙ୍ଗ ଜଙ୍ଗଲରେ ପ୍ରବେଶ କରିଥିଲା । ଶିମିଳିପାଳ ତର୍ତ୍ତୃପକ୍ଷ ତାକୁ ଠାବ କରି ଧରିବା ପାଇଁ ସେବେଠାରୁ ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ବନ ବିଭାଗକୁ ଚକମା ଦେଇ ଜୀନତ ପଡୋଶୀ ରାଜ୍ୟର ଜଙ୍ଗଲରେ ଘୁରି ବୁଲୁଥିଲା । ତାର ଗଳାରେ ଏକ ରେଡିଓ-କଲାର ଲାଗିଥିଲେ ସୁଦ୍ଧା ଘଞ୍ଚ ଜଙ୍ଗଲରେ ନେଟଓ୍ବାର୍କ ସମସ୍ୟା ପାଇଁ ତାର ନିର୍ଦ୍ଦିଷ୍ଟ ଅବସ୍ଥାନ ସମ୍ପର୍କରେ ତଥ୍ୟ ହାସଲ କରିବା ବନ ବିଭାଗ ପାଇଁ କଷ୍ଟକର ବ୍ୟାପାର ହୋଇପଡିଥିଲା । ବାଘୁଣୀ ଜୀନତକୁ ବନ ବିଭାଗ ଟିମ୍ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରିଛି । ତାକୁ କାବୁ କରି ଏକ ପିଞ୍ଜରା ବା ସ୍ବତନ୍ତ୍ର ଯନ୍ତାରେ ରଖାଯାଇଛି ।
- ଅପରେସନରେ ଲାଗିଥିଲା 120 ଜଣିଆ ଟିମ୍:-
3 ରାଜ୍ୟ, ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗ ବନ ବିଭାଗର ୧୨୦ ଜଣିଆ ମିଳିତ ଟିମ୍ ଏହି ଅପରେସନରେ ନିୟୋଜିତ ହୋଇଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଜୀନତକୁ ଦୁଇଟି ମଇଁଷିର ଲୋଭ ଦେଖାଇଥିଲା ବନ ବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ସକ୍ଷମ ହୋଇଛନ୍ତି । ଏବେ ତାକୁ ପୁଣି ଶିମିଳିପାଳ ଆଣିବାକୁ ବ୍ୟବସ୍ଥା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- ନାକେଦମ କଲାଣି ବାଘୁଣୀ ଜୀନତ,'GPS ନେଟୱର୍କ ନଥିବାରୁ ହୋଇପାରୁନି ଟ୍ରାଙ୍କୁଲାଇଜ' ଟ୍ରାଙ୍କୁଲାଇଜ ହୋଇପାରୁନି ବାଘୁଣୀ ଜୀନତ, ବନ ବିଭାଗକୁ ଘାରିଲାଣି ଚିନ୍ତା |
ଇଟିଭି ଭାରତ, ରାଇରଙ୍ଗପୁର