କୋରାପୁଟ: ଗତ ଶୁକ୍ରବାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ପ୍ରସିଦ୍ଧ ଜଳପ୍ରପାତ ଗଲିଗବ୍ଦର ଠାରେ ଏନ୍ଆଇଆରଏମର କିଛି ଅଧିକାରୀ ଓ ଏକ ବେସରକାରୀ ହାଇଡ୍ରୋ ପାୱାର କମ୍ପାନୀର କର୍ମକର୍ତ୍ତାଙ୍କ ଦ୍ଵାରା ମୂର୍ତ୍ତିକା ଓ ପଥରର ସର୍ଭେ ଏବଂ ପରୀକ୍ଷା ନିରୀକ୍ଷା କରିବା ଘଟଣା ସନ୍ଦେହର ଘେରକୁ ଟାଣି ଆଣିଥିବାବେଳେ ଏ ସଂକ୍ରାନ୍ତରେ କିଛି ନୂତନ ତଥ୍ୟ ବାହାରକୁ ଆସିବାରେ ଲାଗିଛି ।
ପଟ୍ଟାଙ୍ଗି ବିଧାୟକ ପୀତମ୍ ପାଢ଼ୀଙ୍କ କହିବାନୁଯାୟୀ, ଗତ ୮ ତାରିଖ ଦିନ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କ ପ୍ରତିନିଧି, ଆନ୍ଧ୍ରର ଜଣେ ବରିଷ୍ଠ ଓକିଲ ସେହି ଅଞ୍ଚଳକୁ ଆସିଥିଲେ ।
ସେମାନଙ୍କ ସହ ସାମାଜିକ କର୍ମୀ, ତଳ ଗଞ୍ଜେଇପଦରରେ ଥିବା ଆନ୍ଧ୍ର୍ରଦେଶର ସରପଞ୍ଚ ଓ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତି ସେମିଳିଗୁଡାସ୍ଥିତ ତାଙ୍କ ବାସଭବନକୁ ଆସି କୋଟିଆ ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସୀମାବର୍ତ୍ତୀ ଗ୍ରାମ ତଳ ଗଞ୍ଜେଇପଦର, ତଲପିନିକି , ନେରେଡିବାଲାସା ଓ ଗଲିଗାବ୍ଦରରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ ନିଜ ଇଚ୍ଛା ପ୍ରକାଶ କରିଥିଲେ ।
ତେବେ ସେ ଏପରି କୌଣସି ପ୍ରକଳ୍ପକୁ ନିଜ ପ୍ରତ୍ୟାଖ୍ୟାନ କରି ଜିଲ୍ଲା ପ୍ରଶାସନ ସହ ଏସଂକ୍ରାନ୍ତରେ ଚର୍ଚ୍ଚା କରିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ପାଢ଼ୀ ସ୍ପଷ୍ଟ କରିଛନ୍ତି ।
କିନ୍ତୁ, କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ସହ ଏହି ପ୍ରତିନିଧି ଦଳ ଭେଟିବା ପରେ ସେ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ପାଢ଼ୀ ଜଣାଇଛନ୍ତି ।
ତେବେ ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇନଥିବାବେଳେ ଗତ ଶୁକ୍ରବାର କିପରି ସେମାନେ ଗଳିଗବ୍ଦର ଠାରେ ମାଟି ପରୀକ୍ଷା କରିଥିଲେ ବୋଲି ପାଢ଼ୀ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରର ଏପରି କୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ ବୋଲି ପୀତମ୍ ପାଢ଼ୀ ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ