ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନରେ ସାମିଲ ହେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଚାଷୀଙ୍କୁ ସମର୍ଥନ କରି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ଦେଇଛନ୍ତି ସାଂସଦ । କୃଷି ଆଇନକୁ ବିରୋଧ କରି ଡିସେମ୍ବର 7 ତାରିଖରୁ ପଞ୍ଜାବର ସାଂସଦ ଓ ବିଧାୟକମାନେ ଧାରଣାରେ ପ୍ରଦର୍ଶନ କରୁଛନ୍ତି ।
ସାଂସଦ କହିଛନ୍ତି, କୃଷି ଆଇନକୁ ଚାଷୀ ସଙ୍ଗଠନ ବିରୋଧ କରୁଛନ୍ତି । କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ। ଯେଉଁଭଳି ଭାବେ ଏହି ନିୟମକୁ ରାଜ୍ୟସଭାରେ ପାରିତ କରାଯାଇଛି ତାହା ଭୁଲ । ତେଣୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ଅଧିବେଶନ ଡାକି ଏକ ଚୟନ କମିଟି ଗଠନ କରି ପୁଣି ଥରେ ଆଇନ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି ସାଂସଦ ।
ଏହି ଧାରଣାରେ ପଞ୍ଜାବର ସାଂସଦ ତଥା ବିଧାୟକଙ୍କ ସମେତ ଶଶି ଥରୁର, ହରିଶ ରାୱତ, କେଟିଏସ ତୁଲସୀ, ଦୀପେନ୍ଦ୍ର ସିଂ ହୁଡ୍ଡା ସାମିଲ ହୋଇଛନ୍ତି । ସେପଟେ ଦୀର୍ଘ ଧରି ଚାଲିଥିବାରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ଚିଠି ମାଧ୍ୟମରେ କୃଷି ଆଇନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚିଠିକୁ ପଢିବାକୁ ଦେଶର ସମସ୍ତ କୃଷକଙ୍କୁ ବିଭିନ୍ନ ଭାଷାରେ ଲେଖି ନିବେଦନ କରିଛନ୍ତି । ଓଡିଶାର କୃଷକମାନଙ୍କ ପାଇଁ ମଧ୍ୟ ପିଏମ ଟ୍ବିଟ କରି କୃଷି ମନ୍ତ୍ରୀଙ୍କ ଚିଠି ପଢିବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ