କୋରାପୁଟ: ଏଣିକି କୋରାପୁଟ ଜିଲ୍ଲାର ବିଦ୍ୟାଳୟ ମଧ୍ୟରେ ଥିବା ଛାତ୍ରୀ ନିବାସ ପରିସରରେ କେହି ପୁରୁଷ ରହିପାରିବେ ନାହିଁ । ଗତ କିଛିଦିନ ଧରି ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ଉପରେ ଚାଲିଥିବା ଯୌନ ନିର୍ଯ୍ୟାତନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ପରେ ଆଜି ଜିଲ୍ଲା ପ୍ରଶାସନ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଏକ ବୈଠକ ଆୟୋଜନ କରିଛି ।
ବିଦ୍ୟାଳୟର ଅନ୍ୟାନ୍ୟ ବିଷୟ ସମ୍ପର୍କରେ ଆଲୋଚନା କରାଯିବା ସହ ଛାତ୍ରାବାସରେ ନାବାଳିକାଙ୍କ ସୁରକ୍ଷା ଓ ଉନ୍ନତ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ହୋଇଥିଲା । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ମାନଙ୍କୁ ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ଜଣାଇ ଦିଆଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଜଣାଇଛନ୍ତି । ଏଥିସହିତ ସ୍କୁଲରେ ଥିବା ରେଡ ବୁକ୍ର ଉଚିତ ପରିଚାଳନା କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ନିୟମିତ ଛାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ତାଗିଦ କରାଯାଇଛି ।
କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଆବାସିକ ବିଦ୍ୟାଳୟରେ ମାର୍ଟନ ତଥା ଏଏନଏମ ନିଯୁକ୍ତିରେ ଏ ପର୍ଯ୍ୟନ୍ତ ଥିବା ଖାଲିସ୍ଥାନ ପୁରଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ମଙ୍ଗଳ ଅଧିକାରୀ ଜଣାଇଛନ୍ତି ।
କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ