କୋରାପୁଟ: ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ 10 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି(ବୁଧବାର) କୋରୋନା ପରୀକ୍ଷା କରାଯାଇଥିବା 1400 ଜଣଙ୍କ ମଧ୍ୟରୁ ସମୁଦାୟ ଦଶ ଜଣ କୋଭିଡ ସଂକ୍ରମିତ ହୋଇଥିବା କୋରାପୁଟ ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।
ଏହି ଦଶ ଜଣଙ୍କ ମଧ୍ୟରେ ଜୟପୁର ଉପକାରାଗାରରେ ଥିବା ତିନି ଜଣ କଏଦୀ ଓ ସୁନାବେଡାସ୍ଥିତ କୋବ୍ରା ବାଟାଲିଅନର ଜଣେ ଯବାନ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ଜିଲ୍ଲାରେ କୋଭିଡ ପରୀକ୍ଷା ବୃଦ୍ଧି କରାଯାଇଛି । ପ୍ରତିଦିନ 300ଟି ଆରଟିପିସିଆର ପରୀକ୍ଷା କରାଯାଉଥିବାବେଳେ 1000ଟି ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଉଛି ।
ଏଥିସହ ଜିଲ୍ଲାରେ ଟୀକାକରଣ ଉପରେ ମଧ୍ୟ ପ୍ରାଧାନ୍ୟତା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ଶତକଡା 80 ଭାଗ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଗତକାଲି ଆହୁରି 14 ହଜାର ଟିକା ଜିଲ୍ଲାରେ ଆସି ପହଞ୍ଚିଥିବା ଡାକ୍ତର ବେଉରା କହିଛନ୍ତି । ଜିଲ୍ଲାରେ କୋଭିଡ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ରହିଛି ଓ ଜିଲ୍ଲା ପ୍ରଶାସନ କୋଭିଡ ନିୟନ୍ତ୍ରଣକୁ ବଜାୟ ରଖିବା ପାଇଁ ରେଳଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରିବାର ବ୍ୟବସ୍ଥା କରିଥିବା ସେ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ