କୋରାପୁଟ: ଦଶମନ୍ତପୁର ବ୍ଲକ ସଲପଗୁଡ଼ା ଗାଁରେ ପଞ୍ଚାୟତ ନିର୍ବାଚନର ଭୋଟ ଦେବା ପରେ ଏକ ଅଜବ ଦାବି କରିଛନ୍ତି ଭୋଟର । ଏଠାରେ ଜଣେ ଭୋଟରଙ୍କୁ ଭଗବାନ ସ୍ବପ୍ନରେ ଆସି ଭୋଟ ଦେବାକୁ କହିଥିବା ଦାବି କରିଛନ୍ତି ଜନୈକ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି ଉଦୟ । ସଲପଗୁଡ଼ା ଗ୍ରାମବାସୀ ଆଜି ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଉଦୟ ସକାଳୁସକାଳୁ ସ୍ବତନ୍ତ୍ର ବେଶ ଧାରଣ କରି ଗାଁର ଏପଟ ମୁଣ୍ଡରୁ ସେପଟ ମୁଣ୍ଡକୁ ପର୍ଯ୍ୟନ୍ତ ଚାଲିବାରେ ବ୍ୟସ୍ତ ରହିଥିଲା ।
ରାତିରେ ଭଗବାନ ଶ୍ରୀରାମ ସ୍ୱପ୍ନରେ ଆସି ଆଜି ଭୋଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ ଉଦୟ । ଏହା ସମସ୍ତଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା । ଶେଷରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀ ଯେତେବେଳେ ଭୋଟ ବର୍ଜନକୁ ପ୍ରତ୍ୟାହାର କରିଥିଲେ ଉଦୟ ଯାଇ ଭୋଟ ଦେଇ ଆସିଥିଲେ । ଭଗବାନ ଶ୍ରୀରାମଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ଯୋଗୁଁ ଉଦୟର ଗୋଡ଼ ତଳେ ଲାଗୁନଥାଏ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ