କୋରାପୁଟ: ସମସ୍ୟା ଘେରରେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାର । ରକ୍ଷଣାବେକ୍ଷଣ ଅଭାବରୁ ଜଳଭଣ୍ଡାର ଏବେ ଦଳମୟ ହେବାକୁ ବସିଲାଣି । ଆଉ ମଧ୍ୟ ବୃକ୍ଷ ରୋପଣ ତଥା ଅନ୍ୟାନ୍ୟ ମୃତ୍ତିକା ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ଯାଉନଥିବା ଜଳଭଣ୍ଡାର ଧୀରେଧୀରେ ପୋତି ହୋଇଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ସମସ୍ୟାଗୁଡ଼ିକର ସମାଧାନ କରାନଗଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଏହାମଧ୍ୟ ପଢନ୍ତୁ..ଜଳସ୍ତର ସହ କମୁଛି କୋଲାବ ଡ୍ୟାମ୍ର ଜଳଧାରଣ କ୍ଷମତା, ୧୦ବର୍ଷରେ ୬.୫ମିଟର ହ୍ରାସ
କୋରାପୁଟ ଜିଲ୍ଲାର ଜଯପୁର, ଲମତାପୁଟ, ବୋଇପାରିଗୁଡା, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରି ପାଖାପାଖି 1630 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି କୋଲାବ ଜଳଭଣ୍ଡାର । ହେଲେ ଏହି କୋଲାବ ଜଳଭଣ୍ଡାରରେ ଏବେ ଦଳ ବ୍ୟାପୁଥିବା ଦେଖିବାକୁ ମିଳିଛି । କୋଲାବ ଜଳଭଣ୍ଡାରର ଉପର ମୁଣ୍ଡରେ ବୃକ୍ଷରୋପଣ ତଥା ଅନ୍ୟାନ୍ୟ ମୃତ୍ତିକା ସଂରକ୍ଷଣ ପଦକ୍ଷେପ ନିଆ ଯାଉନଥିବା ଯୋଗୁଁ ଜଳଭଣ୍ଡାର ମଧ୍ୟକୁ ବର୍ଷା ଜଳ ସାଙ୍ଗକୁ ମାଟି ପଶି ଆସିଆସୁଛି । ଯାହାଫଳରେ ଜଳଭଣ୍ଡାର ଧୀରେଧୀରେ ପୋତି ହୋଇଯାଉଛି । ତେବେ ଏନେଇ ଜଳ ସମ୍ପଦ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉଥିବା ଅଭିଯୋଗ ହୋଇଛି ।
ତେବେ ସ୍ଥାନୀୟ ପରିବେଶବିତ୍ ସୁନିଲ ବିଶ୍ଵାଳଙ୍କ କହିବାନୁଯାୟୀ, ଗତ କିଛିଦିନ ଧରି ସୁନାବେଡ଼ା ନିକଟସ୍ଥ କୋଲାବା ଜଳଭଣ୍ଡାରର ଅଂଶରେ ଯେଉଁଭଳି ଭାବେ ଦଳ ବ୍ୟାପିବାରେ ଲାଗିଛି ସେଥିପ୍ରତି ସରକାର ଦୃଷ୍ଟି ନଦେଲେ ସମଗ୍ର ଜଳଭଣ୍ଡାର ଦଳମୟ ହୋଇଯିବା ପାଇଁ ଅଧିକ ଦିନ ଲାଗିବ ନାହିଁ । ଯଦି ସମ୍ପୂର୍ଣ୍ଣ ଜଳଭଣ୍ଡାର ଦଳମୟ ହୋଇଯାଏ ତେବେ ତାହା ଆଉ ସଫା କରିହେବ ନାହିଁ ।
ଏହାମଧ୍ୟ ପଢନ୍ତୁ..କମି ଗଲାଣି ସତୀଗୁଡ଼ା ଜଳଭଣ୍ଡାର ଜଳସ୍ତର, ପୁନରୁଦ୍ଧାର ଦାବି କଲେ ବୁଦ୍ଧିଜୀବୀ
ତେବେ କୋଲାବ ଜଳଭଣ୍ଡାର ଉପରେ ଆଖପାଖର ସମସ୍ତ ସହର ପାନୀୟ ଜଳ ପାଇଁ ନିର୍ଭର କରୁଥିବା ବେଳେେ ଏଚଏଏଲ ଏବଂ ନାଲକୋ ଭଳି ଶିଳ୍ପ ସଂସ୍ଥା ଏହି ଜଳଭଣ୍ଡାରରୁ ଜଳ ନେଇ ସେମାନଙ୍କ କାରଖାନାର ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାଆନ୍ତି । ଏହି ଜଳ ଭଣ୍ଡାରରେ ସୁସ୍ବାଦୁ ମାଛକୁ ବିକ୍ରୟ କରି ଅନେକ ଆଦିବାସୀ ଧୀବର ଗୁଜୁରାଣ ମେଣ୍ଟାଇଥାନ୍ତି । ଏହି ଜଳଭଣ୍ଡାରରେ କିଛି ସ୍ବତନ୍ତ୍ର ଧରଣର ମାଛ ଦେଖାଯାଇଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ର ଜୈବ ବିବିଧତା ବିଭାଗ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ।
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦେବବ୍ରତ ପଣ୍ଡାଙ୍କ କହିବାନୁଯାୟୀ, ଜଳଭଣ୍ଡାରରେ ଦଳ ଭର୍ତ୍ତି ହୋଇଗଲେ ଏହାର ଜଳ ପାନୀୟ ଉପଯୋଗୀ ରହିବନାହିଁ । ଆଉମଧ୍ୟ ମାଛ ଭଳି ଜୀବଙ୍କ ଜୀବନ ଧାରଣ କରିବାରେ ସମସ୍ୟା ଦେଖାଯିବ । ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ବି ହଇରାଣ ହେବେ ।
ଇଟିଭି ଭାରତ, କୋରାପୁଟ