କୋରାପୁଟ: ଆସନ୍ତାକାଲି(ସୋମବାର) ଦିନ ଠାରୁ କୋରାପୁଟ ଜିଲ୍ଲାରେ ଓବିସି ଜନସଂଖ୍ୟା ସର୍ଭେ ଆରମ୍ଭ । ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଉଥିବା ପଛୁଆ ଗଣନାକୁ ନେଇ ଅସନ୍ତୁଷ୍ଟ ଆଦିବାସୀ । କୋରାପୁଟର ବିଭିନ୍ନ ଅଞ୍ଚଳରେ ଆଦିବାସୀ ମାନ୍ୟତା ପାଇଁ ଦାବି ଜୋର ଧରିଛି । ବର୍ଷବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ନା ମାନ୍ୟତା ମିଳିଛି ନା ସରକାରଙ୍କ କିଛି ସୁବିଧା ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ । ଆଜି କୋରାପୁଟସ୍ଥ କୋଟସ ସଭାଗୃହରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନବାସୀ ମହାସଭା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ । ଓବିସି ଜନଗଣନା ଆଦିବସୀଙ୍କୁ ଭୂଆଁ ବୁଲାଇବା ପାଇଁ ଏକ ଚାଲ ବୋଲି ଅଭିଯୋଗ କରିଛି କୋରିପୁଟ ବନବାସୀ ମହାସଭା ।
କୋରାପୁଟ ବନବାସୀ ମହାସଭା ଉପ ସଭାପତି ଦାଶରଥି ମାଳି କହିଛନ୍ତି , "ଆଦିବାସୀ ନିଜ ହକ ପାଇବା ପାଇଁ ଦୀର୍ଘ ଧରି ଦାବି କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଓବିସି ତାଲିକା ଭୁକ୍ତ କରି ସରକାର ଏହି ଆନ୍ଦୋଳନକୁ ଚପାଇ ଦେବକୁ ଚକ୍ରାନ୍ତ କରୁଛନ୍ତି । କୋରାପୁଟରେ ଆଦିବାସୀଙ୍କୁ ମାନ୍ୟତା ମିଳୁନି । ଫଳରେ ସରକାରୀ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ହେଉଛନ୍ତି । ପଟ୍ଟାଙ୍ଗୀରେ କୋଟିଆର ବିବାଦୀୟ ୨୧ଟି ଗ୍ରାମ ଓ ନନ୍ଦପୁରର ଅଧିକାଂଶ ଲୋକଙ୍କୁ ଆଦିବାସୀ ମାନ୍ୟତା ମିଳିନି । ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା ଫଳ ଶୂନ । ନିର୍ବାଚନ ସମୟରେ ସରକାର ପ୍ରତିଶ୍ରୁତି ତ ଦେଉଛନ୍ତି ହେଲେ ପୂରଣ କରୁନାହାନ୍ତି । ସ୍ବାଧୀନତା ପୂର୍ବରୁ ଇଂରେଜ ସରକାର କୋରାପୁଟର ପାର୍ବତ୍ୟାଞ୍ଚଳରେ ବସବାସ କରି ଜୀବିକା ନିର୍ବାହ କରିଆସୁଥିବା ଲୋକଙ୍କୁ ହିଲ୍ ଟ୍ରାଇବର ମାନ୍ୟତା ଦେଇଥିଲେ । କିନ୍ତୁ ଦେଶ ସ୍ବାଧୀନତା ପାଇବା ପରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହି ସମସ୍ତ ଅଧିବାସୀଙ୍କୁ ଆଦିବାସୀର ମାନ୍ୟତା ପ୍ରଦାନ କରିଥିବା ବେଳେ ଓଡିଶା ସରକାର ଓବିସି କହି ଠକୁଛନ୍ତି ।"
ଅଧିକ ପଢ଼ନ୍ତୁ: ୫ଦିନ ପର୍ଯ୍ଯନ୍ତ କାଳବୈଶାଖୀ ବର୍ଷା, ୧୭ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
ଏହାକୁ ନେଇ ଶତାଧିକ ଅଦିବାସୀ ସରକାରଙ୍କ ଉପରେ ଆକ୍ରୋଶମୂଳକ ମନୋଭାବ ପୋଷଣ କରିଛନ୍ତି । ରାଜ୍ୟ ସରକାର ଆଦିବାସୀ ମାନ୍ୟତା ପ୍ରଦାନର ଦାୟିତ୍ୱ କେନ୍ଦ୍ର ସରକାରଙ୍କର ବୋଲି କହି ନିଜ ଦାୟିତ୍ବରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏଥି ସହିତ ଓବିସି ତାଲିକାଭୁକ୍ତ ନହେବା ପାଇଁ ବନବାସୀ ଆନ୍ଦୋଳନ କରିଛନ୍ତି । ଆସନ୍ତା 2024ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବନବାସୀ ଉଚିତ୍ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, କୋରିପୁଟ