କୋରାପୁଟ: ଓଡ଼ିଆପେଣ୍ଠ ପଞ୍ଚାୟତର ଧରଡ଼ା ଗ୍ରାମରେ ସରକାରଙ୍କ ଦ୍ବାରା ଆସନ୍ତା 2 ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଏହି ଜନଶୁଣାଣିକୁ ବାତିଲ କରାନଗଲେ ବଡ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଲକ୍ଷ୍ମୀପୁର ନିକଟସ୍ଥ କୋଡ଼ିଙ୍ଗାମାଳି ଠାରେ ଗତ ଚାରି ବର୍ଷ ଧରି ବେଆଇନ ଭାବରେ ଖଣି ଖନନ କରାଯାଉଛି । ଫଳରେ ଅଞ୍ଚଳବାସୀ ବହୁ ମୂଲ୍ୟବାନ ଚାଷ ଜମି ହରାଇବା ସହ ସେମାନେ ବ୍ୟବହାର କରୁଥିବା ପାନୀୟ ଜଳ ଦୂଷିତ ହେବାରେ ଲାଗିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ 3 ନିୟୁତ ଟନ ବକ୍ସାଇଟ ଖୋଳିବା ସମୟରେ କୌଣସି ପଲ୍ଲୀସଭା କିମ୍ବା ଗ୍ରାମସଭା କରାଯାଇନଥିଲା ।
ତେବେ ବର୍ତ୍ତମାନ 6 ନିୟୁତ ଟନ ବକ୍ସାଇଟ ଖୋଳିବା ସମୟରେ କାହିଁକି ପଲ୍ଲୀସଭାର ଆୟୋଜନ କରାଯାଇ ଜନଶୁଣାଣି କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏହାସହିତ ଏହି ପ୍ରସଙ୍ଗ ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ସୋମବାର ଏହି ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଉପସ୍ଥାପନା କରିଥିବା ସୂଚନା ମିଳିଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ