କୋରାପୁଟ: ଏକଦା ଅଛୁଆଁ ରୋଗ ତାଲିକାରେ ଥିଲା କୁଷ୍ଠ । ଏହି ରୋଗରେ ଆକ୍ରାନ୍ତ ରୋଗୀ ହେଉଥିଲେ କେତେକଙ୍କ ଘୃଣାର ପାତ୍ର । ଗାଁ ଗହଳିରେ କୁଷ୍ଠରୋଗୀଙ୍କୁ ବାସନ୍ଦ କରି ଦେଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଥିଲା । ଏହି ରୋଗୀଙ୍କ ପାଖକୁ ନା କେହି ଯାଉଥିଲେ ନା କେହି ଛୁଉଁଥିଲେ । ହେଲେ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ସମୟ, ସଚେତନ ହୋଇଛନ୍ତି ନାଗରିକ । ଘୃଣା ନୁହେଁ ଚିକିତ୍ସା ହିଁ ଉପଶମର ପନ୍ଥା ବୋଲି ପ୍ରମାଣିତ କରିଛନ୍ତି କୋରାପୁଟ ଭଳି ଦୁର୍ଗମ ଅଞ୍ଚଳର ଅଧିବାସୀ । ଏଠାରେ ବିଗତ ୩୩ ବର୍ଷ ଧରି ଆରମ୍ଭ ହୋଇଛି ମାଗଣା ଚିକିତ୍ସା । ନିରୋଗ ହୋଇପାରିଛନ୍ତି ଏକାଧିକ କୁଷ୍ଠ ରୋଗୀ ।
୧୯୯୧ ଫେବ୍ରୁଆରୀ ୨୨ରେ କୋରାପୁଟରେ ପ୍ରତିଷ୍ଠା ହୋଇଥିଲା ଲେପ୍ରା ସଂଗଠନ । ସେବେଠାରୁ ଏଠାରେ କୁଷ୍ଠ ରୋଗୀଙ୍କ ଚାଲିଛି ମାଗଣା ଚିକିତ୍ସା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୦ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କୁ MDT ମାଧ୍ୟମରେ ଚିକିତ୍ସା ପ୍ରଦାନ କରାଯାଇଥିବାବେଳେ ୫ ହଜାର ରୋଗୀଙ୍କୁ ସଂସ୍ଥାର ପରିସର ମଧ୍ୟରେ ଚିକିତ୍ସା ଦିଆଯାଉଛି । ସେହିପରି ୫୦୦ ଜଣଙ୍କୁ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ଥିବାବେଳେ ୧୦ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କୁ MCR ଚପଲ ପ୍ରଦାନ କରାଯାଇଛି ।
ସବୁଠୁ ବଡ କଥା ହେଉଛି କି ଦୁର୍ଗମ ଅଞ୍ଚଳବାସୀ ମଧ୍ୟ ଏହି ସଂଗଠନର ସହାୟତାରେ ଉପଶମ ହୋଇପାରିଛନ୍ତି । ଦୀର୍ଘ ୧୦ ବର୍ଷ କୁଷ୍ଠରେ କବଳିତ ହେବା ପରେ ଶେଷରେ ଏହି ଦୁରାରୋଗ୍ୟକୁ ମାତ୍ ଦେଇପାରିଛନ୍ତି ଅନେକ ରୋଗୀ । ସୁଲିଆମାରିରୁ ଜଣେ ରୋଗୀ ପ୍ରାୟ ୧୦ କିଲୋମିଟର ଚାଲି ଚାଲି କୋଟିଆ ଆସିବା ପରେ କୋରାପୁଟସ୍ଥିତ ଲେପ୍ରା ସଂଗଠନରେ ପହଞ୍ଚିଥିଲେ । ସେ ନାନା ଚେରମୂଳି ଔଷଧ ଏବଂ ନାନା ଉପଚାର କରିଥିଲେ ମଧ୍ୟ କୁଷ୍ଠରୁ ମୁକ୍ତି ପାଇପାରିନଥିଲେ ।
ଠିକ୍ ଏହି ସମୟରେ ଲେପ୍ରା କୋରାପୁଟର ଚିକିତ୍ସକ ଟିମ୍ କୋଟିଆ ଅଞ୍ଚଳର ଦୁର୍ଗମ ଗ୍ରାମରେ କୁଷ୍ଠ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ସମୟରେ ତାଙ୍କ ସହ ଭେଟିଥିଲେ । ତୁରନ୍ତ ତାଙ୍କୁ କୋରାପୁଟର ଲେପ୍ରା ସଂଗଠନକୁ ଆଣି ଚିକିତ୍ସା କରାଇଥିଲେ । ବର୍ତ୍ତମାନ ସୁଲିଆମାରିର ସମ୍ପୃକ୍ତ ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ।
ଫେବ୍ରୁଆରୀ ୨୨ରେ ଲେପ୍ରା ସଂଗଠନ କୋରାପୁଟର ୩୩ତମ ପ୍ରତିଷ୍ଠା ଅବସରରେ ଏହିପରି ଅନେକ ରୋଗୀ କୁଷ୍ଠକୁ କିପରି ମାତ୍ ଦେଇପାରିଛନ୍ତି ସେ ବାବଦରେ ଆଲୋଚନା କରିଛନ୍ତି । ତେବେ କୋରାପୁଟର ଏହି ଲେପ୍ରା ସଂଗଠନ କେବଳ ଯେ କୁଷ୍ଠ ରୋଗକୁ ହରାଇ ପାରିଛି ତାହା ନୁହେଁ, ଗାଁ ଗହଳିରେ ଥିବା ପୂର୍ବ ପ୍ରଥାକୁ ମଧ୍ୟ ଦୂର କରିପାରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ