କୋରାପୁଟ: ଜିଲ୍ଲା ପ୍ରଶାସନ ୮ ଜଣ ଶିଶୁଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ସେମାନଙ୍କ ଘରୁ ଉଦ୍ଧାର କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖୁଡ଼ିଗୁଡ଼ା ଗ୍ରାମର ଚାରିଜଣ ଶିଶୁଙ୍କୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ତିନି ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ମା’ ନିଶାଗ୍ରସ୍ତ ରହିବା ସହ ତିନି ମାସ ପୂର୍ବରୁ ଅନ୍ୟତ୍ର ବିବାହ କରିଥିଲେ । ତେବେ ନାବାଳିକା ବଡ ଭଉଣୀର ତତ୍ବାବଧାନରେ 4ଜଣ ବଞ୍ଚୁଥିଲେ ।
ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରି ସେମାନଙ୍କୁ ଆଜି କୋରାପୁଟସ୍ଥିତ ସେଲଟର ହୋମରେ ଅସ୍ଥାୟୀ ଭାବେ ରଖିଛି । ସେମାନେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆସନ୍ତା ସୋମବାର ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସରେ ରଖି ପାଠପଢିବା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ କହିଛନ୍ତି ।
ଅନ୍ୟ ଏକ ପୃଥକ ଘଟଣାରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜାମଯୋଡି ଗ୍ରାମରେ ଚାରିଜଣ ଶିଶୁ ବାପା ଓ ମା’ ଙ୍କୁ ହରାଇ ଅସହାୟ ହୋଇ ଛୋଟ କୁଡ଼ିଆରେ ଜୀବନ ବିତାଉଛନ୍ତି । ଏହି ଚାରିଜଣ ଶିଶୁଙ୍କୁ ମଧ୍ୟ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।
କୋରାପୁ଼ଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ