କୋରାପୁଟ: ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନଠାରୁ ଅନେକ ଦୂରରେ ଜିଲ୍ଲାର ଆଦିବାସୀ । । ସଭ୍ୟତାର ଅନ୍ତରାଳରେ । ହେଲେ ବି ସେମାନେ ସଚେତନ । ଆଉ ଏହାର ପ୍ରମାଣ ଦେଇଛନ୍ତି କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତର ଲିଟିଗୁଡା ଗ୍ରାମବାସୀ ।
ଗାଁର କେନ୍ଦୁ, ଶାଳ, ଶିଆଳି ପତ୍ରରୁ ତିଆରି ପ୍ରାକୃତିକ ମାସ୍କ । ଏସବୁକୁ ଗଛ ଲଟାରେ ବାନ୍ଧି ପିନ୍ଧୁଛନ୍ତି ଗ୍ରାମବାସୀ । ଗାଁରେ ନାହିଁ ପତ୍ରର ଅଭାବ । ଆଉ ଏହାର କରିଛନ୍ତି ସଦୁପଯୋଗ । ସହର ଯିବା, ଅଧିକ ମୂଲ୍ୟର ମାସ୍କ କିଣିବା କଷ୍ଟରୁ ପାଇଛନ୍ତି ମୁକ୍ତି । ନିଜ ଉଦ୍ୟମରେ ବନା ହୋଇଛି ପ୍ରାକୃତିକ ମାସ୍କ । ବିନା ଖର୍ଚ୍ଚରେ ଘର ପାଖରେ ସମାଧାନର ସୂତ୍ର । ଏନଆରଇଜିଏସ ଯୋଜନାରେ ଗାଁରେ କାର୍ଯ୍ୟ ଚାଲିଛି । ଆଉ ଏଥିରେ ନିଜ ହାତ ତିଆରି ମାସ୍କ ପିନ୍ଧି କାମ କରୁଛନ୍ତି ଗାଁ ଲୋକେ । କୋରୋନା ମହାମାରୀକୁ ନିଜ ବୁଦ୍ଧି ବଳରେ ଦୂରେଇ ରଖି ସହରୀ ଲୋକଙ୍କୁ ଶିକ୍ଷା ଦେଇଛନ୍ତି ଛୋଟ ଗାଁଟିର କିଛି ଅପାଠୁଆ ଲୋକେ ।
କୋରୋନାରୁ ମୁକ୍ତି ପାଇଁ ଏବେ ମାସ୍କ ଅପରିହାର୍ଯ୍ୟ । ସମସ୍ତଙ୍କ ମୁହଁରେ ଭଳିକି ଭଳି ବିଭିନ୍ନ ଷ୍ଟାଇଲର ଓ ଅଧିକ ଦାମର ମାସ୍କ । କେଉଁଠି ଖଦି କପଡା ତ କେଉଁଠି ହାଇଜେନିକ । ଲୋକଙ୍କୁ ମାଗଣା ମାସ୍କ ମଧ୍ୟ ବାଣ୍ଟିଲେ ସରକାର । ହେଲେ ଅନେକ ଦୁର୍ଗମ ଅଞ୍ଚଳର ଲୋକେ ଏବେ ବି ମାସ୍କ ପାଇବାରୁ ବଞ୍ଚିତ । ସହର ଯାଇ ଅଧିକ ଖର୍ଚ୍ଚରେ କିଣିବା ଏମାନଙ୍କ ପକ୍ଷେ ଅସମ୍ଭବ । ଏପରି ସ୍ଥଳେ ଲିଟିଗୁଡା ଗ୍ରାମବାସୀ ଦେଖାଇଛନ୍ତି ପ୍ରକୃତି ହିଁ ସବୁଠାରୁ ସୁରକ୍ଷିତ । ସରକାରଙ୍କ ଉପରେ ନିର୍ଭର ନହୋଇ ନିଜ ଖର୍ଚ୍ଚରେ କରିଛନ୍ତି ନିଜ ବ୍ୟବସ୍ଥା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ