କୋରାପୁଟ: ଜିଲ୍ଲାର ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଆନୁକୂଲ୍ୟରେ ଶରୀର ବିଜ୍ଞାନ, ଚିକିତ୍ସା ପଦ୍ଧତି ଏବଂ ଜଳାତଙ୍କ ଭଳି ଗୁରୁତ୍ବପୂର୍ଣ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜ୍ଞାନ ଜ୍ୟୋତି ଶୀର୍ଷକ ଏକ ବିଶାଳ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।
ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଠାରୁ ସିଧାସଳଖ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଥିଲେ । ମହାବିଦ୍ୟାଳୟର 8ଟି ବିଭାଗ ଦ୍ବାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଂରକ୍ଷିତ ହୋଇଥିବା ମୃତ ଶରୀରକୁ ଖୋଲି ମନୁଷ୍ୟ ଶରୀର ଭିତରେ ଥିବା ଅବୟବକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା ।
କୋରାପୁଟରେ ପ୍ରଥମ ଥର ପାଇଁ ଆୟୋଜିତ ଏହିପରି ଏକ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମହଲରେ ଅପୂର୍ବ ଉତ୍ସାହ ଭରିଦେଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ