କୋରାପୁଟ: ରାଜାରାଜୁଡ଼ା ଅମଳର ଐତିହାସିକ ଜୟପୁରର ଜଗନ୍ନାଥ ସାଗର (Jagannath Sagar) । ଓଡିଶାର ଅନ୍ୟତମ ବିଶାଳ ଜଳାଶୟ (Reservoir)। ଯାହାକୁ ଦିନେ କାଶ୍ମୀରର ଡାଲ ହ୍ରଦ ସହ ତୁଳନା କରାଯାଉଥିଲା, ଆଜି କିନ୍ତୁ ସେ ହରାଇବାକୁ ବସିଛି ନିଜର ଅସ୍ତିତ୍ବ ।
230 ବର୍ଷ ତଳେ ଯାହାର ଆକାର ଥିଲା 400 ଏକର, ଆଜି ତାହା ପୁନଃରୁଦ୍ଧାର ଅଭାବରୁ 190 ଏକରରେ ପହଞ୍ଚିଲାଣି । ଏକଦା ପାନୀୟ ଜଳ ଭାବେ ଜୟପୁରର ତୃଷ୍ଣା ମେଣ୍ଟାଉଥିଲା ଜଗନ୍ନାଥ ସାଗର (jeypore historical pond)। କିନ୍ତୁ ଏବେ ପଙ୍କ, ଦଳ, ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ୩୦ ଫୁଟ ଗଭୀରତାରୁ ୧୨-୧୫ ଫୁଟ ଗଭୀରତାରେ ଆସି ପହଞ୍ଚିଲାଣି ଏହି ସାଗର । ସହରର ଡ୍ରେନ ପାଣିରେ ଏବେ ବିଷାକ୍ତ ଏହାର ବିସ୍ତୀର୍ଣ୍ଣ ଜଳରାଶି ।
ସାଗରକୁ ଆଧାର କରି ବ୍ୟବସାୟ କରିବା ପାଇଁ ପ୍ରଶାସନ ଆକାଶବାଣୀ ନିକଟରେ ଥିବା ସାଗର ହୁଡାରେ ଚିତ୍ତବିନୋଦନ କେନ୍ଦ୍ର , ପାର୍କ ଓ ବୋଟିଂର ବ୍ୟବସ୍ଥା କରିଥିବା ବେଳେ ସାଗରର ଅପରପଟେ ଆଗରୁ ନିର୍ମାଣ କରାଯାଇଥିବା ପାର୍କ, ରାସ୍ତା ପ୍ରଭୃତିକୁ ଭୁଲିଯାଇ କେବଳ ନୂତନ ନିର୍ମାଣ ପ୍ରତି ଆଗ୍ରହ ପ୍ରଦର୍ଶନ କରିବା କ୍ଷୋଭର ବିଷୟ ବୋଲି ମତ ପ୍ରକାଶ ପାଇଛି । ସହରର ମଇଳା ପାଣି ସାଗର ମଧ୍ୟକୁ ପସିଆସୁଥିବା ବେଳେ ତାକୁ ନିୟନ୍ତ୍ରଣ କରି ସାଗରକୁ ବଞ୍ଚାଇବାର ପ୍ରଚେଷ୍ଟା କରାଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ସରକାର ପ୍ରକୃତ ଓ ପ୍ରକୃଷ୍ଟ ଦାୟିତ୍ବରୁ ଖସିଯିବା ପାଇଁ ଚେଷ୍ଟା କରିଥିବା ବେଳେ ସହରର ନାଗରିକ ମଞ୍ଚଗୁଡିକ ଦ୍ୱାରା ଜଗନ୍ନାଥ ସାଗରକୁ ବଞ୍ଚାଇବା ପାଇଁ ସଂଗ୍ରାମ ଜାରି ରହିଛି । ତେବେ ଐତିହାସିକ ସାଗର ହେଉ ବା ମନ୍ଦିର, ଏହାର ପୁନଃରୁଦ୍ଧାର ପାଇଁ ରହିଛି ଅନେକ ଯୋଜନା । ହେଲେ ଜୟପୁର ଜଗନ୍ନାଥ ସାଗର ପାଖରେ ଫେଲ ମାରିଛି ସବୁ ଯୋଜନା । ଯଦି ସରକାରଙ୍କ କୃପାଦୃଷ୍ଟି ନପଡେ ତେବେ ନଷ୍ଟ ହୋଇଯିବ ପ୍ରାକୃତିକ ଶୋଭାରାଜି, ଆଉ ଭାଙ୍ଗିଯିବ ଜୟପୁର ସହରର ଗର୍ବ ଆଉ ଗୌରବ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ