କୋରାପୁଟ: ଝିଅଙ୍କ ବିବାହର ଉପଯୁକ୍ତ ବୟସ କେତେ ? ସଂସାର ବୋଝ ଉଠେଇବା ସୀମା 18 ନା 21? ବଦଳିବ କି ବିବାହ ବୟସ ? କେନ୍ଦ୍ର ସରକାରଙ୍କ ସୂଚନା ପରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଏନେଇ ଆଲୋଚନା ଜୋର ଧରିଛି । କାରଣ ଏହି ଜିଲ୍ଲାରେ ଅଧିକାଂଶ ଝିଅଙ୍କ ପାଇଁ ଷୋହଳ ବର୍ଷରେ ହିଁ କିଶୋରୀ ଜୀବନରେ ଭଟ୍ଟା ପଡିଯାଉଛି । ମାତ୍ର 14 ରୁ 15 ବର୍ଷ ମଧ୍ୟରେ ବାଲ୍ୟବିବାହ କରିଛନ୍ତି ଜିଲ୍ଲାର ଅଧିକାଂଶ ଝିଅ । ଏପରିସ୍ଥଳେ ସର୍ବନିମ୍ନ ବିବାହ ବୟସ ସୀମାକୁ ତିନି ବର୍ଷ ବଢ଼ାଇ ଏକୋଇଶି ବର୍ଷରେ ପହଞ୍ଚାଇଛନ୍ତି କେନ୍ଦ୍ର ସରକାର । ହେଲେ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସରକାରଙ୍କ ନିଷ୍ପତ୍ତି ପ୍ରୟୋଗ କରିବା ସହଜ ହୋଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
କୋରାପୁଟ ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ କରିଥିବା ଆକ୍ସନ ଏଡ଼ ର କର୍ମକର୍ତା ରାଜଲକ୍ଷ୍ମୀ ବେହେରାଙ୍କ କହିବାନୁଯାୟୀ କୋରାପୁଟ ଜିଲ୍ଲାରେ ବାଲ୍ୟ ବିବାହର ମାତ୍ରା 34.9% ରହିଛି ଯାହା ରାଜ୍ୟର ହାରଠାରୁ ଢ଼େର ଅଧିକା । ଗତ ବର୍ଷକ ମଧ୍ୟରେ କୋରାପୁଟ ଜିଲ୍ଲାରେ ବନ୍ଦ କରାଯାଇଥିବା ବାଲ୍ୟବିବାହ ଗୁଡିକର ସମୀକ୍ଷା କରାଗଲେ ବାହାହେବା ପାଇଁ ପ୍ରଚେଷ୍ଟା କରୁଥିବା ଝିଅଙ୍କ ବୟସ 14 ରୁ 15 ବର୍ଷ ରହିଛି ଓ ଜିଲ୍ଲାରେ 17 ବର୍ଷ ବୟସ ପର୍ଯ୍ୟନ୍ତ ଅବିବାହିତ ରହିଥିବା ଝିଅଙ୍କ ସଂଖ୍ୟା ମାତ୍ର 20% ରୁ 30 % ରହୁଥିବା ଦେଖାଯାଉଥିବା ସେ ଜଣାଇଛନ୍ତି ।
ଏପରି ସ୍ଥଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଝିଅଙ୍କ ବିବାହ ବୟସକୁ 21 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ନିଷ୍ପତ୍ତି କୁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବାସ୍ତବ ରୂପ ଦେବା ସହଜ ହେବ ନାହିଁ ବୋଲି ମତ ରଖିଛନ୍ତି । କୋରାପୁଟ ଜିଲ୍ଲାରେ ଝିଅ ପୁଅଙ୍କ 14 -15 ବର୍ଷ ବୟସରେ ପାଠ ଛାଡ଼ିଦେବା ବାଲ୍ୟ ବିବାହ ର ସମ୍ଭାବନାକୁ ଅଧିକ ଶକ୍ତି ପ୍ରଦାନ କରୁଥିବା ଯୋଗୁଁ ବର୍ତମାନ18 ବର୍ଷ ପର୍ଯ୍ୟନ୍ତ ଦିଆଯାଉଥିବା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ 21 ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଜୀବନକୌଶଳର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇ ଝିଅପୁଅଙ୍କୁ ଗଠନମୂଳକ ଜୀବନ ପ୍ରତି ଆକୃଷ୍ଟ କରାଗଲେ ଏହି ପ୍ରୟାସ ର ସୁଫଳ ମିଳିପାରିବ ।
କୋରାପୁଟ ଜିଲ୍ଲାରେ ଗତ ନଭେମ୍ବର ମାସରୁ ବାଲ୍ୟ ବିବାହକୁ ବିରୋଧ କରି ଆସିଥିବା କିଶୋରୀଙ୍କୁ ଅପରାଜିତା କାର୍ଯ୍ୟକ୍ରମର ବାର୍ତାଦୂତ ଭାବେ ପରିଗଣିତ କରି ସେମାନଙ୍କ ନିଜ ସାମର୍ଥ୍ୟ ବୃଦ୍ଧି ସହିତ ସମାଜରେ ବାଲ୍ୟ ବିବାହକୁ ବିରୋଧ କରିବାର ପ୍ରୟାସକୁ ତ୍ୱରାନ୍ୱିତ କରିବାର ପ୍ରୟାସ କରାଯାଇଛି । ଏହିପରି ପ୍ରକ୍ରିୟାରେ ସାମିଲ ହୋଇ ଅପରାଜିତା ଦୂତ ସାଜିଥିବା ଛାତ୍ରୀ କେ.ପାୟଲ ଙ୍କ ମତରେ 21 ବର୍ଷ ବୟସରେ ବିବାହ ଝିଅ ମାନଙ୍କୁ ସକାରାତ୍ମକ ଜୀବନ ବଂଚିବାରେ ଅଧିକ ସୁଯୋଗ ପ୍ରଦାନ କରିବ । କୋରାପୁଟ ଜିଲ୍ଲାରେ ଶୋଭା , ଏକତା ଓ ୱାର୍ଡ ଭଳି ସ୍ବେଚ୍ଛାସେବୀ ସଂଗଠନ ର ମିଳିତ ପ୍ରୟାସରେ ଚାଇଲଡ଼ ଲାଇନ ମାଧ୍ୟମରେ ଗତ ପାଂଚ ବର୍ଷ ମଧ୍ୟରେ 800 ରୁ ଉର୍ଧ୍ବ ବାଲ୍ୟବିବାହାକୁ ଅଟକାଯାଇପାରିଥିବା ଚାଇଲଡ଼ ଲାଇନ ର କର୍ମକର୍ତା ସୁସ୍ମିତା ବାଙ୍କା ଜଣାଇଛନ୍ତି ।
ଝିଅ ଓ ପୁଅ କମ ବୟସରୁ ପାଠ ଛାଡ଼ିଦେବା ଫଳରେ ଜାନିଯାତ୍ରାରେ ପରମ୍ପରାକୁ ଆଧାର କରି ଉଦିଲିଆ ଭଳି ଝିଅ ଝିକା କରି ବିବାହର ପ୍ରକ୍ରିୟାକୁ ଆଗକୁ ନେଉଥିବା ସେ ଜଣାଇଛନ୍ତି । ତେଣୁ ବିନା ବିବାହରେ 18 ବର୍ଷ ପର୍ଯ୍ୟନ୍ତ ପହଂଚି ପାରୁନଥିବା କିଶୋର କିଶୋରୀ ମାନେ 21 ବର୍ଷ ପର୍ଯ୍ୟନ୍ତ କିପରି ଅବିବାହିତ ରହିପାରିବେ ସେ ନେଇ ସୁସ୍ମିତା ସନ୍ଦିହାନ ହୋଇଉଠିଛନ୍ତି । ଅପରପକ୍ଷେ ପୁଅ ଝିଅ ଅଳ୍ପ ବୟସରୁ ପରସ୍ପରକୁ ଭଲ ପାଇ ଉଦୁଲିଆ ହୋଇଯାଉଥିବା କାରଣରୁ ସେମାନଙ୍କ ପରିବାର ଲୋକେ ବାଲ୍ୟ ବିବାହ ର ସମସ୍ତ ଅପକାରିତା ସମ୍ପର୍କରେ ସଚେତନ ଥିଲେବି ଝିଅର ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଆଖିରେ ରଖି ସେମାନଙ୍କୁ ବିବାହ କରିଦେବା ପାଇଁ ବାଧ୍ୟ ହେଉଥିବା ଗୌଡ଼ଗୁଡା ବାସିନ୍ଦା ଡମ୍ବରୁଧର ଗୌଡ଼ ମତ ରଖିଛନ୍ତି । ଉଦୁଲିଆ ସମୟରେ ପୁଅଝିଅ ସେମାନଙ୍କ ବୟସ ସମ୍ପର୍କରେ ଚିନ୍ତା କରୁନଥିବା କାରଣରୁ ଵିଵାହ ପୂର୍ବରୁ ମଧ୍ୟ ଗର୍ଭଧାରଣ କରୁଥିବା ଦେଖାଯାଇଥିବା ମାଳିଗୁଡା ଗ୍ରାମ ବାସିନ୍ଦା ଖଗପତି ଗୌଡ଼ ଜଣାଇଛନ୍ତି ।
ଗତ ଫେବୃଆରୀ ମାସରେ ମାଳିଗୁଡା ରେ ଜନୈକ ଝିଅ କମ ବୟସରେ ବିବାହ କରୁଥିବା ଜାଣିପାରି ଜିଲ୍ଲା ପ୍ରଶାସନ ବାଲ୍ୟବିବାହ କୁ ବନ୍ଦ କରିଦେବା ସହ ଝିଅକୁ ଏକ ଥଇଥାନ କେନ୍ଦ୍ରକୁ ପଠାଇ ଦେଇଥିଲା । କିନ୍ତୁ ତାର କିଛିଦିନ ପରେହିଁ ସେହି ଝିଅ ଘରକୁ ଫେରି ଆସିଥିଲା ଓ ବିନା ବିବାହ ରେ ଶ୍ବଶୁର ଘରେ ରହିବା ଆରମ୍ଭ କରିଥିଲା । ବର୍ତମାନ ସେହି ଝିଅଟି ସାତ ମାସର ଗର୍ଭଧାରଣ କରିଥିବା ଝିଅଟିର ଶ୍ବଶୁର ଜଗନ୍ନାଥ ଗୌଡ଼ ଜଣାଇଛନ୍ତି ।
ତେବେ ପ୍ରଶାସନ ତରଫରୁ ବିବାହ କୁ ବନ୍ଦ କରିଦିଆଯିବା ପୂର୍ବରୁ ତାଙ୍କ ପୁଅ ଓ ସେହି ଝିଅ ଉଦୁଲିଆ ଚାଲିଯାଇଥିଲେ ଓ ଝିଅଟି ଗର୍ଭବତୀ ହୋଇଥିବାରୁ ବାଧ୍ୟ ହୋଇ ବିନା ବାହାଘର ରେ ଘରେ ପୁଅ ଓ ଝିଅଙ୍କୁ ସ୍ଥାନ ଦେଇଛନ୍ତି ବୋଲି ଜଗନ୍ନାଥ ସୂଚନା ପ୍ରଦାନ କରିଛନ୍ତି ।
ଆଦିବାସୀ ଜୀବନଧାରାରେ ଚାଲିଆସିଥିବା ପରମ୍ପରା , ଅଭ୍ୟାସ ଓ ସମସ୍ୟା ଗୁଡିକୁ ଉଚିତ ଭାବେ ବାଲ୍ୟବିବାହ ବିରୋଧୀ କରିନପାରିଲେ ଝିଅଙ୍କ ବିବାହ ବୟସ 18 ରୁ 21ବର୍ଷ କୁ ପରିବର୍ତନ କରିବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ କାର୍ଯ୍ୟକାରୀ ହେବା ସହଜ ହେବନାହିଁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ମତ ରଖିଛନ୍ତି ।
କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ