କୋରାପୁଟ: ନିକଟରେ ରାଜ୍ୟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ବକପ ଶେଷ ହୋଇଛି । ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଆୟୋଜିତ ହୋଇଥିଲା । ଏହାର ସଫଳତା ଓଡ଼ିଶା ତଥା ସମଗ୍ର ବିଶ୍ବରେ ଚର୍ଚ୍ଚିତ ହୋଇଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି । ମହାଦେଇପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି ହକି ବିଶ୍ବକପ । ହାତରେ ହକି ଷ୍ଟିକ ଧରି ଅଭ୍ୟାସ କରୁଛନ୍ତି ଆବାସିକ ବିଦ୍ୟାଳୟର ଛାତ୍ର ।
ହକି ବିଶ୍ବକପକୁ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଫଳରେ ଏହାକୁ ଦେଖିବା ପାଇଁ ଓ ହକି ଖେଳ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି ହୋଇଥିଲା । ବହୁ ପୂର୍ବରୁ ହକି ଖେଳ ସମ୍ପର୍କରେ ତାଲିମ ନେଇସାରିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଜାଗ୍ରତ ହୋଇଥିଲା । ଏହି ଆଗ୍ରହକୁ ସାକାର ରୂପ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା କହିଛନ୍ତି ବିଦ୍ୟାଳୟ ପ୍ରଧାନଶିକ୍ଷକ । ପାଖ ଆଖରେ ମିଳୁଥିବା ବାଉଁଶ ଓ ସାଧାରଣ ବଲକୁ ନେଇ ପିଲାଙ୍କୁ ନେଇ ବିଦ୍ୟାଳୟରେ ହକି ଖେଳ ଆରମ୍ଭ କରିବାରେ ସକ୍ଷମ ହୋଇଥିଲେ । ହକି ବିଶ୍ବ କପ ଖେଳର ଶୁଭାରମ୍ଭଠାରୁ ଆରମ୍ଭ କରି ଖେଳ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ଖେଳ ଦେଖାଇବା ସହ ସେମାନଙ୍କ ମଧ୍ୟରେ ଭାରତର ଜାତୀୟ ଖେଳ ହକି ତଥା ଏହାକୁ ଖେଳି ଧ୍ୟାନଚାନ୍ଦଙ୍କ ଭଳି ସୁନାମଧନ୍ୟ ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ଖେଳାଳି ତଥା ହକି ଜଗତରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ଦିଲୀପ ତିର୍କୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ କ୍ରୀଡ଼ାବିତଙ୍କ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା ।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହକି ଖେଳକୁ ନେଇ ଇଚ୍ଛାଶକ୍ତି ଦିନକୁ ଦିନ ବୃଦ୍ଧି ପାଉଥିବା ବିଶେଷ ଆକର୍ଷଣକୁ ଦେଖି ପ୍ରଧାନ ଶିକ୍ଷକ ପିଲାଙ୍କ ଆଗ୍ରହକୁ ବାସ୍ତବ କରିବାକୁ ପ୍ରୟାସ କରିଥିଲେ । ପିଲାଙ୍କ ବିଶେଷ ଆଗ୍ରହ ଓ ନିରନ୍ତର ଅଭ୍ୟାସର ଫଳ ସ୍ବରୂପ ସରକାରଙ୍କ ଦ୍ବାରା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ହକି ଷ୍ଟିକ, ବଲ ଓ ଟି-ସାର୍ଟ କିଣିବା ପାଇଁ ଅନୁଦାନ ରାଶି ପ୍ରଦାନ କରାଯିବା ଫଳରେ ପିଲାଙ୍କ ମଧ୍ୟରେ ହକି ଖେଳ ପ୍ରତି ଜନ୍ମ ନେଇଥିବା ଆଗ୍ରହକୁ ବାସ୍ତବ ରୂପ ପ୍ରଦାନ କରିବା ଓ ଭବିଷ୍ୟତକୁ ଉଜ୍ବଳ କରିବା ପାଇଁ ପଥ ପ୍ରସ୍ତୁତ କରିବାରେ ସହାୟକ ହୋଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ବର୍ତ୍ତମାନ ହକି ବିଶ୍ବକପ ସମାପ୍ତ ହେବା ପରେ ମଧ୍ୟ ପିଲାଏ ହକି ଷ୍ଟିକ୍କୁ ହାତରେ ଧରି ବିଦ୍ୟାଳୟ ମଧ୍ୟରେ ଥିବା ଛୋଟ ପଡ଼ିଆରେ ଅଭ୍ୟାସ ଜାରି ରଖିଛନ୍ତି । ସେମାନେ ଦିନେ ଭାରତର ଜାତୀୟ ହକି ଦଳରେ ନିଜକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଇଟିିଭି ଭାରତ,କୋରାପୁଟ