କୋରାପୁଟ: କୋରୋନା କଟକଣା ନେଇ ସାଧାରଣ ଜୀବନ ଯାତ୍ରା ପ୍ରତି ସୃଷ୍ଟି ହୋଇଛି ଅଦୃଶ୍ୟ ବିପଦ । ଏମିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ଦେଖା ଦେଇଛି ବ୍ୟାପକ ବ୍ୟତିକ୍ରମ । ମୁଖ୍ୟତଃ ସହରୀ ଖାଉଟିଙ୍କ ପାଖରେ ଦେଖା ଦେଇଥିଲା ଗାଉଁଲି ପନିପରିବାର ଅଭାବ । ଏମିତିରେ କୋରାପୁଟ ଜିଲ୍ଲା ସୁନାବେଡା ଓ ଦାମନଯୋଡିରେ ମୁଣ୍ଡ ଟେକିଥିବା ଏହି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ସଖା ଫାଉଣ୍ଡେସନ ଓ ଜୟଦୁର୍ଗା ଉତ୍ପାଦକ ଦଳ । ଉଭୟଙ୍କ ମିଳିତ ଉଦ୍ୟମରେ ଆଦିବାସୀ ମହିଳା ଚାଷୀଙ୍କୁ ନେଇ ଆରମ୍ଭ ହୋଇଛି ଅନଲାଇନ ପରିବା ଯୋଗାଣ ଆପ୍ ଗ୍ରୀନଲାଇନ । ଯେଉଁଥିରେ ଘରେ ବସି ବିଭିନ୍ନ କିସମର ପରିବା ଅର୍ଡର କରିପାରୁଛନ୍ତି ସହରବାସୀ ।
ଲକଡାଉନ ଲମୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲି ହାଟ ନିକଟସ୍ଥ ଗେଲାଗୁଡାର ଆଦିବାସୀ ମହିଳାଙ୍କ ଦ୍ବାରା ଗଠିତ ଜୟଦୁର୍ଗା ଉତ୍ପାଦକ ଦଳ କଣ୍ଟେନମେଣ୍ଟ ଜୋନରେ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ନେଇଥିଲେ ଗୁରୁ ଦାୟିତ୍ବ । ନିଜ ସମୟାନୁବର୍ତ୍ତିତା, ସଚ୍ଚୋଟପଣିଆ ଓ କର୍ମନିଷ୍ଠତା ପାଇଁ ଲକଡାଉନ ପରେ ଏବେ ବଢିଛି ଏମାନଙ୍କ ଚାହିଦା । ଏମିତିରେ ସଖା ଫାଉଣ୍ଡେସନ ସହ ମିଶି ଆରମ୍ଭ ହୋଇଥିବା ଗ୍ରୀନଲାଇନ ଆପ୍ରେ ପୁଣି ଲୋକଙ୍କ ପାଇଁ ସେବା ଆରମ୍ଭ କରିଛନ୍ତି ଏହି ଆଦିବାସୀ ମହିଳା ଚାଷୀ । ଏହି ଆପ୍ରେ ଥିବା କାଟାଲଗ ଦେଖି ଗ୍ରାହକ ଅର୍ଡର ଦେବା ପରେ ସପ୍ତାହକୁ ଦୁଇ ଦିନ ସେମାନଙ୍କ ଘରେ ଯାଇ ପରିବା ଦେଇ ଆସନ୍ତି ମହିଳାମାନେ । ଗୋଟିଏ ପଟେ କୋରୋନା ପାଇଁ ବଜାର ଘାଟରେ ବିକ୍ରି ହେଇ ନପାରି ପରିବା ପଚୁଥିବା ବେଳେ ଆଦିବାସୀ ମହିଳା ଚାଷୀଙ୍କ ଏହି ପ୍ରୟାସ ରୋଜଗାର ପାଇଁ ନୂଆ ପନ୍ଥା ସୃଷ୍ଟି କରିଛି ଓ ପୂରଣ କରିପାରୁଛି ଲୋକଙ୍କ ଚାହିଦା ।
ତେବେ ଦିନେ ଯାହା କୋରୋନା କଣ୍ଟେନମେଣ୍ଟ ଜୋନ ମଧ୍ୟରେ ସୀମିତ ଥିଲା, ସେହି ବ୍ୟବସାୟ ବର୍ତ୍ତମାନ କଟକଣା ଉଠାଇ ଦିଆଯିବା ପରେ ଅନେକ ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇପାରିଥିବା ଓରମାସର ଜିଲ୍ଲାଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି । ସେପଟେ ଆଦିବାସୀ ମହିଳାଙ୍କ ସମୟାନୁବର୍ତ୍ତିତା, ସଚ୍ଚୋଟପଣିଆ ଓ ସେବା ମନୋବୃତ୍ତି ଯୋଗୁଁ ଦିନ ପରେ ଦିନ ସେହିମାନଙ୍କଠାରୁ ଆପ୍ ଯୋଗେ ପରିବା କିଣିବା ଜାରି ରଖିଥିବା ସୁନାବେଡାର ଜନୈକ ଘରଣୀ ଅନିଶା ସିଂ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ