କୋରାପୁଟ: ଝିଅଟିଏ ନିଜ ବାପା ପାଖରେ ସବୁବେଳେ ସୁରକ୍ଷିତ ଅନୁଭବ କରିଥାଏ । କେବଳ ସେତିକି ନୁହେଁ କେବେ କିଛି ସୁବିଧା ଅସୁବିଧା ହେଲେ ଝିଅଟିଏ ମା’ ଅପେକ୍ଷା ପ୍ରଥମେ ବାପାକୁ କହିଥାଏ । ହେଲେ ଏଠାରେ ଜଣେ ବାପାର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ନାବାଳିକା ଝିଅ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ବର୍ଷେ ଧରି ଏପରି କାଣ୍ଡ ଘଟାଇ ଚାଲିଥିଲା ସୁନାବେଡାରେ ରହୁଥିବା ଏହି ବ୍ୟକ୍ତି ।
ଦୀର୍ଘ ବର୍ଷେ ଧରି ବ୍ୟକ୍ତି ଜଣକ ନିଜ ବଡ ଝିଅ ସହ ଏପରି ଶାରିରୀକ ସମ୍ପର୍କ ରଖି ଆସୁଥିବା ବେଳେ ଦୁଇ ଦିନ ତଳେ ସାନ ଝିଅ ବାପାର କଳା କାରନାମାକୁ ଦେଖି ନେଇଥିଲା । ଏନେଇ ସେ ମା’ଙ୍କୁ ଜଣାଇବା ପରେ ସ୍ବାମୀଙ୍କ ନାରକୀୟ କାଣ୍ଡକୁ ସହି ନପାରି ଥାନାରେ ଏତଲା ଦେଇଥିଲେ ସ୍ତ୍ରୀ ।
ଘଟଣା ସମ୍ପର୍କରେ ଅବଗତ ହେବା ପରେ ପିଶାଚ ବାପାକୁ ଗିରଫ କରିଛି ସୁନାବେଡା ପୋଲିସ । ଏଥିସହ ଝିଅଟିର ଡାକ୍ତରୀ ମଇନା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ନିରଞ୍ଜନ ବେହେରା । ତାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ସ୍ତ୍ରୀ ସହ ଝଗଡା କରି ମାରପିଟ କରିବା ସହ ତାଙ୍କୁ ଘରୁ ତଡିଦେଇଥିଲା । ଏହାପରେ ସୁଯୋଗ ନେଇ ଝିଅ ସହ ସମ୍ପର୍କ ସ୍ଥାପନ କରିଥିଲେ । ସେପଟେ ଝିଅକୁ ଜୀବନରୁ ମାରିଦେବା ଧମକ ଦେଇ ତା’ର ମୁହଁ ବନ୍ଦ ରଖିଥିଲା ପିଶାଚ ବାପା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ