କୋରାପୁଟ: ଏଣିକି ମାତ୍ର 7 ଘଣ୍ଟାରେ କୋରାପୁଟ ଦେଇ ରାୟପୁରରୁ ବିଶାଖାପାଟଣାକୁ ଯାତ୍ରା କରିହେବ । ବର୍ତ୍ତମାନ ଏହି ଦୁଇ ସହର ମଧ୍ୟରେ ଦୂରତା 514 କିଲୋମିଟର ରହିଥିବାବେଳେ ନୂତନ ଭାବେ ଏନଏଚଏଆଇ ଦ୍ୱାରା ପ୍ରସ୍ତାବିତ ଭାରତମାଳା ସଡକ ଯୋଜନାରେ ଏହା 464 କିଲୋମିଟର କମ ହୋଇଯିବ ।
6 ଲେନ ସମ୍ପନ୍ନ ଏହି ରାସ୍ତାରେ ଗାଡ଼ି ଗୁଡିକର ହାରାହାରି ସର୍ବନିମ୍ନ ବେଗ ଘଣ୍ଟାକୁ 70 କିଲୋମିଟର ରହିଛି, ଯାହାକି ବର୍ତ୍ତମାନର ହାରାହାରି ବେଗ ଠାରୁ ପ୍ରାୟ ଦୁଇଗୁଣ ରହିଛି । ଏହି ସଡକ ଛତିଶଗଡ଼ ରାଜ୍ୟରେ 124.661 କିଲୋମିଟର ବାଟ ଅତିକ୍ରମ କରି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ । ନବରଙ୍ଗପୁର ଜିଲ୍ଲାରେ 114.989 କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟ ଜିଲ୍ଲାର ବୋରିଗୁମ୍ମା , ଦଶମନ୍ତପୁର , କୋରାପୁଟ , ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ସମୁଦାୟ 125.383 କିଲୋମିଟର ରାସ୍ତା ଗଲା ପରେ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଉ ବାକି 99.6129 କିଲୋମିଟର ରାସ୍ତା ଦେଇ ବିଶାଖାପାଟଣାରେ ଏହି ସଡକ ପହଞ୍ଚିବାର ଯୋଜନା ରହିଛି । ଇକୋନୋମିକ କରିଡର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଯୋଗୁଁ ଏହି ସଡକ କୋରାପୁଟ ଅଞ୍ଚଳକୁ ଏକ ନୂତନ ପ୍ରଗତିର ଧାରା ଆଣିଦେବ ବୋଲି ବିଶେଷଜ୍ଞ ଇଞ୍ଜିନିୟର ସୁନୀଲ ବିଶ୍ବାଳ ମତ ରଖିଛନ୍ତି । କିନ୍ତୁ କୋରାପୁଟ ଜିଲ୍ଲାର ଜଳଭଣ୍ଡାର, ଖଣି ଖାଦାନ ପ୍ରତିଷ୍ଠା କରିବା ପାଇଁ ଜମି ହରାଇ ଉପଯୁକ୍ତ କ୍ଷତିପୂରଣ ପାଇଁ ଏ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିବା ଏ ଅଞ୍ଚଳର ଆଦିବାସୀଙ୍କ ମନରେ ନ୍ୟାୟ ପାଇବାକୁ ନେଇ ସନ୍ଦେହର ଦାନା ବାନ୍ଧିବା ଆରମ୍ଭ ହୋଇଯାଇଛି । ଏହି ପ୍ରକଳ୍ପରେ ଜମି ହରାଇବାକୁ ଥିବା ସେମିଳିଗୁଡା ବ୍ଲକର କକରିଗୁଡା ଗ୍ରାମବାସୀ ଜମି ବଦଳରେ ଉପଯୁକ୍ତ ଜମି ଦିଆଯିବା ପାଇଁ ଦାବି କରିଛନ୍ତି । ଏହି ଗାଁ ଓ ଆଖପାଖ ଗ୍ରାମର ଲୋକଙ୍କ ଜମିରେ ଅଧିକାରୀମାନେ ରାସ୍ତାର ସୀମା ନିର୍ଦ୍ଧାରଣ କରିବା ପାଇଁ ପୋଲ ପୋତି ସାରିଥିବାବେଳେ ଜମି ହରାଇ ଆଦିବାସୀ ନିଶ୍ୱ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କକରିଗୁଡାର ଜମି ହରାଉଥିବା ଚାଷୀ ପୂର୍ଣ୍ଣଚନ୍ଦ୍ର ଯାନୀ ଆଶଙ୍କା ପ୍ରକାଶ କରିଛନ୍ତି ।
ସେପଟେ ଆସନ୍ତା ଡିସେମ୍ବର ମାସରେ କୋରାପୁଟ ଠାରେ ଜନଶୁଣାଣୀ କରାଯାଇ ଜମି ହରାଉଥିବା ଲୋକଙ୍କ ସହ ଆଲୋଚନା କରାଯାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ