କୋରାପୁଟ: ରାଜ୍ୟ ସରକାର କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ସଫଳତା ସାଉଁଟୁଛନ୍ତି । କିନ୍ତୁ ଏହାରି ମଧ୍ୟରେ କୋରାପୁଟରୁ ଆସିଛି ଏଭଳି ଏକ ଅଭିଯୋଗ । ଯେଉଁଠାରେ କୋଭିଡ ଓ୍ବାର୍ଡରେ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦରମା ପାଉ ନଥିବା ଅଭିଯୋଗ ଆସିଛି । ଏନେଇ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ କୋଭିଡ ୱାର୍ଡରେ କାମ କରୁଥିବା ସମସ୍ତ ତଳିଆ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ହସ୍ପିଟାଲ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ।
ସମସ୍ତେ ଏକ ଜଣେ ଠିକାଦାରଙ୍କ ଦ୍ଵାରା ନିଯୁକ୍ତି ପାଇଥିଲେ । ହେଲେ ,ସେହି ଠିକାଦାର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ କର୍ମଚାରୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ଥିଲେ ମେଡିକାଲର ପ୍ରଶାସନିକ ଅଧିକାରୀ । ଖୁବଶୀଘ୍ର ଦରମା ମିଳିବା ପ୍ରତିଶ୍ରୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କର୍ମଚାରୀଙ୍କ ଆନ୍ଦୋଳନକୁ ସ୍ଥାନୀୟ କଂଗ୍ରେସର ନେତୃବର୍ଗ ସମର୍ଥନ ଜଣାଇ ସେମାନଙ୍କ ସହ ଧାରଣାରେ ବସିଥିଲେ । ତେବେ ଗତ ଜାନୁଆରୀ ମାସରୁ ଦରମା ମିଳି ନଥିବା ଅଭିଯୋଗ ହୋଇଛି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ