କୋରାପୁଟ: ଦଶହରା ବଜାରକୁ କବଜା କଲା ଅନଲାଇନ ବଜାର । ଗତ ଦୁଇ ବର୍ଷ ଧରି କୋରୋନାର କରାଳ ରୂପରେ ବ୍ୟବସାୟ ମାନ୍ଦା ରହିଥିବା ବେଳେ ବ୍ୟବସାୟୀଙ୍କ ଦୁଃଖ ସମୟରେ ବୋଝ ଉପରେ ନଳିତାବିଡା ସଦୃଶ୍ୟ ହୋଇଛି ଇ-କମର୍ସ ମାର୍କେଟ । ଅନଲାଇନରେ ଭଳିକି ଭଳି ବିଭିନ୍ନ ଅଫର ଦେଇ ଗ୍ରହକଙ୍କୁ ଆକୃଷ୍ଟ କରୁଥିବାବେଳେ ସେପଟେ ଏହାର ପ୍ରଭାବରେ କୋରାପୁଟ ବଜାରରେ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।
ଇଣ୍ଟରନେଟ ଯୁଗରେ ହାତ ପାହାନ୍ତାରେ ସବୁ ମିଳୁଛି । ଅନଲାଇନ ମାଧ୍ୟମରେ ଦେଶ ବିଦେଶର ଜିନିଷ ଆସି ଘରେ ପହଞ୍ଚୁଛି । ସେ ମୋବାଇଲ ହେଉ ବା ଲୁଗାପାଟା, ଷ୍ଟେସନାରୀ କିମ୍ବା ଇଲୋକ୍ଟ୍ରୋନିକ୍ସ ବଜାର । ସବୁଠି ଭାଳେଣି ପଡିଛି। କୋରୋନା ଯୋଗୁଁ ଯାହା ତ ବ୍ୟବସାୟରେ କ୍ଷତି ହୋଇଥିଲା, ଦିନକୁ ଦିନ ବୃଦ୍ଧି ପାଉଥିବା ଅନଲାଇନ ବ୍ୟବସାୟ ପ୍ରଭାବରେ ବିଗତ ବର୍ଷ ଗୁଡିକ ତୁଳନାରେ କୋରାପୁଟ ବଜାରକୁ ବହୁଗୁଣରେ କ୍ଷତି ସହିବାକୁ ପଡିଛି।
ବିଭିନ୍ନ ଇ-କମର୍ସ ସାଇଟ ପକ୍ଷରୁ ଫେଷ୍ଟିଭ ସେଲ ଜୋର ଧରିଛି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଏହି ଫେଷ୍ଟିଭ ସେଲ ଚାଲୁ ରହିଥିବା ବେଳେ ସହରରେ ଥିବା ଦୋକାନ ଗୁଡିକ ଗ୍ରାହକଙ୍କ ଅପେକ୍ଷାରେ ବସିଛନ୍ତି । ଅନଲାଇନ ବ୍ୟବସାୟର ଆକର୍ଷଣୀୟ ବିଜ୍ଞାପନ , ଉପହାର ଓ ଅଫର ଗ୍ରାହକଙ୍କୁ ନିଜ ସହରର ଦୋକାନ ବଜାରରୁ ମୁହଁ ଫେରାଇ ନେବା ପାଇଁ ପ୍ରୋତ୍ସାହିତ କରୁଛି । କୋଭିଡ କଟକଣା ସମୟରେ ଚାକିରୀ ହରାଇବା , କମ ଦରମା ପାଇବା ଓ ଏପରିକି ମାସ ମାସ ଧରି ପାଉଣା ପାଇନଥିବା ଭଳି କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକେ ବଜାରକୁ ଆସିନଥିବା ବ୍ୟବସାୟୀ କହିଛନ୍ତି ।
ଅନଲାଇନ ବଜାର ସୁନା ରୁପା ଗହଣା ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ସେପଟେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କ ମଧ୍ୟରେ ବିଶାଖାପାଟଣା ଓ ଭୁବନେଶ୍ବର ଭଳି ବଡ ବଜାରରୁ କିଣିବାର ମାନସିକତା ଏବଂ ନଥିଲା ଲୋକଙ୍କ ଘୋର ଆର୍ଥିକ ସଙ୍କଟ କାରଣରୁ ଏହି ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିବା ବ୍ୟବସାୟୀ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ