କୋରାପୁଟ: ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ କୋରାପୁଟ ଜିଲ୍ଲାର ପରିଚୟ ରହିଛି । ଏଠାକାର ସଂସ୍କୃତି, ଆଦିବାସୀ ନୃତ୍ୟ ଗୀତ ବିଶ୍ବବ୍ୟାପୀ ବେଶ ଆଦୃତି ଲାଭ କରିଛି । ହେଲେ ଆଦିବାସୀଙ୍କ ବିଭିନ୍ନ ଜାତି ମଧ୍ୟରୁ ଦୁରୁଆ ସମ୍ପ୍ରଦାୟ ଲୋକେ କେବଳ କଥା କଥାରେ ଆଦିବାସୀ ରହିଯାଇଛନ୍ତି । ସରକାରୀ କାଗଜ ପତ୍ରରେ ଏମାନଙ୍କୁ ଜାତିଗତ ମାନ୍ୟତା ମିଳିନାହିଁ । ଯେଉଁଥିପାଇଁ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ପାଇବା ଲାଗି ଏମାନେ ହକଦାର ଥିଲେହେଁ ବଞ୍ଚିତ ହେଉଛନ୍ତି ।
ସୂଚନାଯୋଗ୍ୟ, ଶାବେରୀ ନଦୀର ଆରପଟେ ଅର୍ଥାତ୍ ଛତିଶଗଡ଼ରେ ଦୁରୁଆ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଆଦିବାସୀ ମାନ୍ୟତା ମିଳିଛି । ତେବେ ନଦୀର ଏପଟେ ଗୁପ୍ତେଶ୍ବର ନିକଟବର୍ତ୍ତୀ ସିରିବେଡା ଠାରୁ ଆରମ୍ଭକରି ବୈପାରିଗୁଡ଼ା, କୁନ୍ଦୁରା ଓ କୋଟପାଡ ବ୍ଲକର ଗାଁ ଗଣ୍ଡାରେ ରହୁଥିବା ହଜାର ହଜାର ଦୁରୁଆ ପରିବାରଙ୍କୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ କରାଯାଇଛି । ଯେଉଁଥିପାଇଁ ବିଶେଷ କରି କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଦୁରୁଆ ଜନଜାତିର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କେତେବେଳେ ଦୁରୁଆଙ୍କୁ ଆଦିବାସୀ ଜନଜାତି କୁହାଯାଉଛି ତ ଆଉ କେତେବେଳେ ସାଧାରଣ ବର୍ଗରେ ଗଣା ଯାଉଛି । ଏହା ସମ୍ପ୍ରଦାୟର ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ଦୁରୁଆକୁ ଆଦିବାସୀ ମାନ୍ୟତା ଦେବା ପାଇଁ ଅନେକ ବର୍ଷ ଧରି ଆନ୍ଦୋଳନ କରିଆସୁଥିବା ଚନ୍ଦ୍ର ସଗରିଆ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ ଗତ ମାସରେ କ୍ରୀଡ଼ା ମନ୍ତ୍ରୀ କୁନ୍ଦୁରାରେ ଏକ ସଭାରେ ଯୋଗଦେଇ ଦୁରୁଆକୁ ଆଦିବାସୀ ମାନ୍ୟତା ମିଳିସାରିଥିବା କଥା କହିଥିଲେ । ଏ ସଂକ୍ରାନ୍ତରେ ଏକ କାଗଜ ମଧ୍ୟ ଦୁରୁଆଙ୍କ ହାତରେ ଧରାଇଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଗାଁ ଗଣ୍ଡାରେ ନୂତନ ଆଶାର ସଂଚାର ହୋଇଥିଲା । ତେବେ ପରେ ଏହା ମିଥ୍ୟା କାଗଜପତ୍ର ବୋଲି ପ୍ରମାଣିତ ହୋଇଥିଲା ।
ଯେତେବେଳେ ମନ୍ତ୍ରୀ ଦେଇଥିବା କାଗଜକୁ ପଢ଼ାଗଲା ତାହା ଗତବର୍ଷ ଡିସେମ୍ବର ମାସର ବୋଲି ଜଣାପଡ଼ିଥିଲା । ସୂଚନା ମୁତାବକ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଧୁରବ, ଧୁରୁଆ ଏବଂ ଦୁରୁଆକୁ ଧାରୁଆ ଭଳି ଆଦିବାସୀ ମାନ୍ୟତା ଦେବା ପାଇଁ ଏକ ବୈଠକ ବସିଥିଲା । ମନ୍ତ୍ରୀ ଦେଇଥିବା କାଗଜଟି ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାଗଜ ଥିଲା । ଏଥିରେ ଉଲ୍ଲେଖ ଥିଲା କି ପିତାମାତାଙ୍କୁ ଆଦିବାସୀ ମାନ୍ୟତା ମିଳିଥିଲେ ତାଙ୍କ ସନ୍ତାନଙ୍କୁ ମଧ୍ୟ ଆଦିବାସୀ ମାନ୍ୟତା ମିଳିବ । ଏହାସହ ରାଜ୍ୟର ଆଦିବାସୀଙ୍କ ତାଲିକା ରାଜ୍ୟରେ ପ୍ରକାଶ କରିବା ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ମାଗିବା ଭଳି ନିଷ୍ପତ୍ତି ନିଆଯାଇଥିବା କଥା ଏହି କାଗଜରେ ବର୍ଣ୍ଣନା କରାଯାଇଥିଲା । ତେବେ ଦୁରୁଆକୁ ଆଦିବାସୀ ମାନ୍ୟତା ମିଳିବା ନେଇ ଏହି କାଗଜରେ କିଛି ଲେଖାଯାଇନଥିବାରୁ ଜନଜାତିର ଲୋକେ ମର୍ମାହତ ହୋଇପଡିଛନ୍ତି ବୋଲି ସଗରିଆ ଜଣାଇଛନ୍ତି । ଦୁରୁଆ ଲୋକଙ୍କୁ ଦିଆଯାଇଥିବା ଜଙ୍ଗଲ ଜମି ପଟ୍ଟାରେ ଦୁରୁଆକୁ ଆଦିବାସୀ ବୋଲି କୁହାଯାଇଥିବା ବେଳେ ତହସିଲଦାର ଦେଉଥିବା ସାର୍ଟିଫିକେଟରେ ଦୁରୁଆକୁ ସାଧାରଣ ବର୍ଗ ଭଳି ବିନା ଆଦିବାସୀ ମାନ୍ୟତାରେ ପ୍ରଦାନ କରାଯାଉଥିବା ଘଟଣା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଥିବା ସେ ପ୍ରକାଶ କରିଛନ୍ତି ।
ଏପଟେ ୨୦୧୭ରେ ମାଲକାନଗିରି ଜିଲ୍ଲାର ମାଥିଲି ଅନ୍ତର୍ଗତ ବରଗାଁର ଚମ୍ପାବତୀ ଦୁରୁଆଙ୍କୁ ସେଠାକାର ତହସିଲଦାର ଆଦିବାସୀ ମାନ୍ୟତା ଦେଇ ସାର୍ଟିଫିକେଟ ପ୍ରଦାନ କରିଥିବା ତଥ୍ୟ ହସ୍ତଗତ ହୋଇଛି । ତେବେ ସରକାର କାହିଁକି ପୁଣିଥରେ ପଛଘୁଞ୍ଚା ଦେଲେ ତାହା ଏବେ ସନ୍ଦେହର ଘେରରେ ରହିଛି । ଅନ୍ୟପଟେ କେହିଜଣେ ଶିକ୍ଷିତ ଅଧିକାରୀଙ୍କ ଭୁଲ ବନାନ ଲେଖା ଯୋଗୁଁ ନିରକ୍ଷର ଦୁରୁଆ ମଣିଷ ନିଜ ପରିଚୟ ହଯାଇବାକୁ ବାଧ୍ୟହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜନଜାତି ଗବେଶକ ପରେଶ ରଥ ମତବ୍ୟକ୍ତ କରିଛନ୍ତି । ଆଦିବାସୀ ଜନଜାତି ଦୁରୁଆ ପରିବାରରେ ଆଦିବାସୀ ମାନ୍ୟତା ନଥିବା ଯୋଗୁଁ ପିଲାଙ୍କ ଶିକ୍ଷା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପାଇପାରୁନଥିବା ଅଭିଯୋଗ ଆଣିଛନ୍ତି କାବେରୀ ଦୁରୁଆ । ସେହିପରି ଦୁରୁଆ ବହୁଳ ଅଞ୍ଚଳରେ ଗତ ୧୦ ବର୍ଷ ଧରି ଶିକ୍ଷକତା କରୁଥିବା କୂଳମଣି ଜେନା ମଧ୍ୟ ଆଦିବାସୀ ମାନ୍ୟତା ନଥିବା ଯୋଗୁଁ ଛାତ୍ରଛାତ୍ରୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି ।
୨୦୦୨ ଓ ୨୦୧୪ ରେ ଦୁରୁଆକୁ ଆଦିବାସୀ ମାନ୍ୟତା ଦେବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ହୋଇଥିଲା । ତେବେ ତାହା କାହିଁକି ଫଳପ୍ରଦ ହୋଇପାରିଲାନାହିଁ ସେ ବାବଦରେ ବୁଝିବା ଲାଗି ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ମଧ୍ୟ ବିଫଳ ହୋଇଥିବା ସିରିବେଡାର ସହଦେଵ ଦୁରୁଆ ଜଣାଇଛନ୍ତି । ଆଦିବାସୀ ମାନ୍ୟତା ନ ମିଳିବା ଯୋଗୁଁ ଦୁରୁଆଙ୍କୁ ଜମି କ୍ରୟ ବିକ୍ରୟ ସମୟରେ ଉପଲବ୍ଧ ସୁରକ୍ଷା ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୁରୁଆ ନୃତ୍ୟକଳାକୁ ଆଦିବାସୀ ନାଚ ଗୀତ ବୋଲି ପ୍ରଚାର କରିଥିବା ସରକାର କାହିଁକି ଦୁରୁଆକୁ ଆଦିବାସୀ ମାନ୍ୟତା ଦେବାରେ ପଛଘୁଞ୍ଚା ଦେଉଛନ୍ତି ସେ ସମ୍ପର୍କରେ ରାଜ୍ୟ ଡଙ୍ଗର ରାଣୀ ଉପାଧିରେ ଭୂଷିତ ହୋଇଥିବା ପଲ୍ଲବୀ ଦୁରୁଆ ପ୍ରଶ୍ନ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ