କୋରାପୁଟ: କୋଟିଆ ପଞ୍ଚାୟତର ଲୋକଙ୍କ ପାଇଁ ଖୁସି ଖବର । କୋଟିଆ ଚିକିତ୍ସାଳୟକୁ ଦୁର୍ଗମ ଗାଁ ଗଣ୍ଡାରୁ ରୋଗୀଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛି । ଏନେଇ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି ।
କୋଟିଆରେ ଜିଲ୍ଲା ପ୍ରଶାସନ ପ୍ରତିଟି ଗାଁର ପ୍ରତିଟି ବ୍ୟକ୍ତିଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି । ଗତ କିଛିଦିନ ପୂର୍ବେ ଏହିଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିଡିଓ କନଫେରେନ୍ସିଂ ମାଧ୍ୟମରେ 20 ଶଯ୍ୟା ବିଶିଷ୍ଟ ଉନ୍ନତମାନର ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଫଳରେ ଛୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଧାର କରି ଏ ପର୍ଯ୍ୟନ୍ତ ଚାଲିଆସୁଥିବା ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସମସ୍ତେ ତତ୍ପର ହୋଇ ଉଠିଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି ।
ପ୍ରତି ଗାଁରେ ସ୍ବାସ୍ଥ୍ୟକର୍ମୀ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉଥିବା ସିଡିଏମଓ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଉନ୍ନତମାନର ସଡକ ଦ୍ବାରା ସଂଯୋଗ ହେଉଥିବା ଯୋଗୁଁ ଅପହଞ୍ଚ ଇଲାକାର ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ସକ୍ଷମ ହେବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାସ୍ଥ୍ୟକର୍ମୀ ପ୍ରତିଦିନ କିଛି ଗ୍ରାମକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ଲୋକଙ୍କ ମନରେ ମଧ୍ୟ ଭବିଷ୍ୟତ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଉଥିବା ଦେଖାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ