କୋରାପୁଟ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଯାହାକୁ ନେଇ ଭୟଭୀତ ଅଛନ୍ତି ବିଶ୍ବବାସୀ । ଚୀନରୁ ଏହି ଭାଇରସ ବ୍ୟାପିଥିବାବେଳେ ବର୍ତ୍ତମାନ ସୁଦ୍ଧା ଚୀନରେ 80ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି । ସେହିପରି ଆମେରିକାରେ ଏହି ଭାଇରସ ଯୋଗୁଁ 5 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ଭାରତର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଅବସ୍ଥାରେ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।
ତେବେ କୋରାପୁଟରେ କୋରୋନା ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଭାଇରସରେ ସମ୍ଭାବ୍ୟ ପ୍ରଭାବିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ପାଇଁ ସ୍ବତନ୍ତ୍ର ୱାର୍ଡ ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସମ୍ପନ୍ନ ହୋଇସାରିଥିବା ଜିଲ୍ଲାପାଳ କହିଛନ୍ତି।
ସେହିପରି ଓଡିଶାରେ ଏବେ ବାର୍ଡ ଫ୍ଲୁ ଦେଖାଯାଇଥିବା ବେଳେ ଏହାର ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ଦିଗରେ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପଶୁଧନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଜଣାଇଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ