କୋରାପୁଟ: କଅଁଳିଆ ଶିଶୁର କୋମଳ ମନରେ ଭରି ରହିଥିଲା ଅଜସ୍ର ଦୁଃଖ । ଗାଁ ଦାଣ୍ଡରେ ଖେଳିବା ବୟସରେ ବିଛଣା ସାଜିଥିଲା ତାର ପ୍ରକୃତ ବନ୍ଧୁ । ଭଲରେ ଚାଲିବା ତ ଦୂରର କଥା, ସଳଖ ଠିଆ ହେବାପାଇଁ ମଧ୍ୟ ଇଶାକ ସକ୍ଷମ ହୋଇ ପାରୁନଥିଲା । ତିନି ବର୍ଷର ଶିଶୁ ଇଶାକ ଗଣ୍ଡା ପାଇଁ ଚାଲିବା ୭ ସ୍ବପ୍ନ ପାଲଟି ଯାଇଥିଲା । ହେଲେ ଆଜି ସେ ତାର ତାର କୁନିକୁନି ପାଦରେ ଘରସାରା ଖେଳୁଛି । ଏବଂ ତାର ସେହି ପାଦରେ ଡେଇଁବା ଓ ଖେଳିବା ଦେଖି ପରିବାର ମଧ୍ୟରେ ଆନନ୍ଦ ଖେଳି ଯାଇଛି ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କୁସୁମଗୁଡାରେ ରହୁଥିବା ୩ ବର୍ଷୀୟ ଶିଶୁ ଇଶାକ ଗଣ୍ଡା । ଅଣ୍ଟାରେ ବଳ ନଥିବା ଯୋଗୁଁ ଗୋଡ଼ ଉଠି ପାରୁ ନଥିଲା । ଏବଂ ଭାଗ୍ୟକୁ ଆଦରି ସେହି ବିଛଣାରେ ପଡ଼ି ରହିଥିଲା । ପରିବାର ଲୋକଙ୍କ ଆପ୍ରାଣ ଚେଷ୍ଟା ଫଳରେ ମଧ୍ୟ ଇଶାକର ଚାଲିବା ସମ୍ଭବପର ହୋଇନଥିଲା । ହେଲେ ଏକତାର ସାହାଯ୍ୟ ବଳରେ ଆଜି ଇଶାକ ନୂଆ ଜୀବନ ପାଇଛି । ଏବଂ ପରିବାର ମୁହଁରେ ପୁଣି ହସ ଫୁଟେଇ ପାରିଛି ।
କୋରାପୁଟ ଦୁରୁଗୁଡ଼ାଠାରେ ଥିବା ସ୍ବେଚ୍ଛାସେବୀ ସଂଗଠନ ଏକତାର ସ୍ବେଚ୍ଛାସେବୀଙ୍କ ପାଖରେ ରୋଗାଗ୍ରସ୍ତ ଇଶାକର ଖବର ପହଞ୍ଚିଥିଲା । ଏହାପରେ ଇଶାକର ଜୀବନ ଆକାଶରେ ଆଲୋକ ଭରି ହେବାର ପ୍ରକ୍ରିୟା ଆରମ୍ଭ ହେଲା । ଏକତା ସଂଗଠନ ଦ୍ବାରା ପରିଚାଳିତ ଫିଜିଓ ଥେରାପି କେନ୍ଦ୍ରରେ ବିନା ଖର୍ଚ୍ଚରେ ଇଶାକର ଉପଯୁକ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ଇଶାକର ଗୋଡ଼ ଓ ଅଣ୍ଟାରେ ଶକ୍ତି ସଂଚରିତ କରିବା ପାଇଁ ବିଭିନ୍ନ ବ୍ୟାୟାମ ସମ୍ପର୍କରେ ବାପା ଓ ମାଙ୍କୁ ପ୍ରତ୍ୟକ୍ଷ ତାଲିମ ମଧ୍ୟ ଦିଆଯାଇଥିଲା ।
ନିର୍ଦ୍ଦେଶ ମୁତାବକ ସମସ୍ତ ବ୍ୟାୟାମ ଆରମ୍ଭ କରିବା ପରେ ଇଶାକ ଧୀରେ ଧୀରେ ଠିଆ ହେବାକୁ ସକ୍ଷମ ହୋଇଥିଲା । ଏକତା ତରଫରୁ ଇଶାକର ଘରକୁ ଯାଇ ମଧ୍ୟ ତାଲିମ ଦେବା ଜାରି ରହିଥିଲା । ଇଶାକ ପ୍ରଥମେ ଘର ଭିତରେ ଠୁକୁରୁ ଠୁକୁରୁ ହୋଇ ଚାଲିବା ଆରମ୍ଭ କରିଥିଲା । ଏହା ପରେ ସେ ଦୁଇଟି ବାଉଁଶକୁ ସାହାରା କରି ଚାଲିବାକୁ ଆରମ୍ଭ କରିଥିଲା । ଏବେ ସେ ତାର କୁନି ପାଦରେ ଚାଲିବା ସହ ଦୌଡ଼ି ମଧ୍ୟ ପାରୁଛି । ଯାହାକୁ ଦେଖି ପରିବାରଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ।
ଇଶାକର ଦୃଢ଼ ବିଶ୍ବାସ, ପିତାମାତାଙ୍କ ସହଯୋଗ ଓ ଏକତା ସଂଗଠନର ଆପ୍ରାଣ ଉଦ୍ୟମ ବଳରେ ସେ ଆଜି ଚାଲିବାକୁ ସକ୍ଷମ ହୋଇପାରିଛି । ଏହିପରି ଭାବେ ପରିବାର ଓ ଅନୁଷ୍ଠାନର ମିଳିତ ସହଯୋଗ ରହିଲେ ଯେକୌଣସି ଭିନ୍ନକ୍ଷମ ଗିରି ଲଙ୍ଘି ପାରିବ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ