କୋରାପୁଟ: ଲମତାପୁଟ ବ୍ଲକ ସିଲିପଣ୍ଡି ଗାଁର ପଥର କ୍ରସର ୟୁନିଟରେ ଗୁଳିକାଣ୍ଡ ଘଟଣା । ବୁଧବାର କ୍ରଶର ମ୍ୟାନେଜର ପ୍ରସାଦ ରାଓଙ୍କୁ ଗୁଳି କରି 50 ହଜାର ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । ସେପଟେ ପୋଲିସ ଗୁଳିରେ ଗାଁର ଲକ୍ଷ୍ମଣ ଶୀଶା ଆହତ ହୋଇଥିବା କହିଛନ୍ତି କୋରାପୁଟ ଏସପି ମୁକେଶ କୁମାର ଭାମୁ ।
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ ସକ୍ରିୟ ଥିବା ଛଅ ଜଣିଆ ଲୁଟେରା ଗ୍ୟାଙ୍ଗ । ପ୍ରସାଦ ରାଓଙ୍କୁ ଡରାଇ ଧମକାଇ ସବୁ ବେଳେ ବଟି ଆଦାୟ କରୁଥିଲେ । ବୁଧବାର ତାଙ୍କୁ 45 ମିନିଟ୍ ଭିତରେ 10 ଲକ୍ଷ ଟଙ୍କା ଦେବା ପାଇଁ ଟେଲିଫୋନ ଯୋଗେ ଦାବି କରାଯାଇଥିଲା । ଏବାବଦରେ ପୋଲିସକୁ ସୂଚନା ଦେଇଥିଲେ କ୍ରସର ମ୍ୟାନେଜର । ତେବେ ଲୁଟେରା ଗ୍ୟାଙ୍ଗ ରାତିରେ କ୍ରଶର ପାଖକୁ ଯାଇ ମ୍ୟାନେଜରଙ୍କୁ ଗୁଳି କରିବା ସହ 50 ହଜାର ଟଙ୍କା ଲୁଟିନେଇଥିଲେ ।
ଅଧିକ ପଢନ୍ତୁ: କ୍ରସର ୟୁନିଟରେ ଟଙ୍କା ଆଦାୟ ନେଇ ଗୁଳିକାଣ୍ଡ
ଏପଟେ ମ୍ୟାନେଜରଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏସବୁ ଦେଖିଥିଲା । ପୋଲିସର ଗୋଟିଏ ଟିମ୍ ମ୍ୟାନେଜରଙ୍କୁ ଡାକ୍ତରଖାନା ନେଇଥିବା ବେଳେ ଅନ୍ୟ ଟିମ୍ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ଓ ପୋଲିସ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିଲେ ସେହି ଗାଁର ଲକ୍ଷ୍ମଣ ଶୀଶା ଆହତ ହୋଇଛି ବୋଲି ଏସପି କହିଛନ୍ତି ।
ତେବେ ଏହି ଗ୍ୟାଙ୍ଗରେ ସିଲିପଣ୍ଡି ଓ ପଡୋଶୀ ଗାଁ ମାରିପେଟାର ଯୁବକ ସାମିଲ ଥିବା ସନ୍ଦେହ କରାଯାଉଛି । ସେପଟେ ଗିରଫ ଲକ୍ଷ୍ମଣଙ୍କୁ ଜେରା କଲେ ସମସ୍ତଙ୍କ ପରିଚୟ ମିଳିବ ବୋଲି ପୋଲିସ କହିଛି । ତେବେ ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟାଏ ପିସ୍ତଲ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ