କୋରାପୁଟ: ଭୋଟ ଗଣତିରେ ତ୍ରୁଟି ହୋଇଥିବା ଅଭିଯୋଗ କରି କଂଗ୍ରେସ ପ୍ରାର୍ଥୀ କୋର୍ଟ ଯିବେ । ଲକ୍ଷ୍ମୀପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀ କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଠାରୁ ୨୨୯ ଟି ଭୋଟ ବ୍ୟବଧାନରେ ବିଜୟୀ ହେବା ପରେ ଆଜି ସକାଳେ ସେ କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ଭୋଟ ଗଣତିରେ ତ୍ରୁଟି ହୋଇଥିବା ଅଭିଯୋଗ କରି ପୁନଃ ଗଣତି କରିବା ପାଇଁ ଦାବି କରିଛନ୍ତି ।
କିନ୍ତୁ ଅଭିଯୋଗ କରିବାର ସମୟ ସୀମା ପାର ହୋଇଯାଇଥିବା ଯୋଗୁଁ ଉପଜିଲ୍ଲାପାଳ ଏ ସଂକ୍ରାନ୍ତରେ କିଛି କରିପାରିବେ ନାହିଁ। ବର୍ତ୍ତମାନ ନ୍ୟାୟ ପାଇବାକୁ ସେ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି । ଗୁରୁବାର ଅନୁଷ୍ଠିତ ହୋଇଥିବା ଭୋଟ ଗଣତିରେ ବିଜେଡିର ପ୍ରଭୁ ଜାନୀ ୪୫,୨୧୧ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୈଳାଶ କୁଲେସିକା ୪୪,୯୮୨ ଟି ଭୋଟ ପାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ