କୋରାପୁଟ: ସରକାରୀ ଯୋଜନାରେ ହରିଲୁଟ ଅଭିଯୋଗ । ବ୍ଲକରେ ଦୁର୍ନୀତି ଅଭିଯୋଗ । ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନେତୃତ୍ବରେ ସାଧାରଣ ଜନତାଙ୍କ ସହ କୋରାପୁଟ ପଟାଙ୍ଗୀ ବ୍ଲକ ଅଫିସ ଘେରାଉ କରିବା ସହ ଧାରଣା ଦିଆ ଯାଇଛି ।
ଏହି ବ୍ଲକରେ ସବୁଠାରୁ ଅଧିକ ସରକାରୀ ଯୋଜନାକୁ ହରିଲୁଟ କରିବା ଅଭିଯୋଗ ହୋଇଛି । 35 ରୁ 45% ପିସି ନେବା ଭଳି ମହାଦୁର୍ନୀତି ଚାଲିଥିବା ଅଭିଯୋଗ କରାଯାଇଛି । ଏହି ବିଷୟରେ ସରକାରଙ୍କୁ ଅବଗତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । କୋଟିଆ ଗ୍ରାମ ପଞ୍ଚାୟତର ବିବାଦୀୟ 21ଖଣ୍ଡ ଗ୍ରାମର ସମସ୍ତ ବାର୍ଦ୍ଧକ୍ୟ ପେନସନ୍ ଆଉ ପିଡିଏସ ଚାଉଳ ତାଙ୍କ ଗ୍ରାମକୁ ଦେବାର ବ୍ୟବସ୍ଥା କରାଯିବା ପାଇଁ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଦାବି ଉପସ୍ଥାପନ କରିଛନ୍ତି । ଏହା ସହ ବ୍ଲକର ସମସ୍ତ ବିଧାନସଭା ବୁଥକୁ ସେଣ୍ଟର ଭାବେ ଗ୍ରହଣ କରାଯାଇ ସେଠାରେ ହିଁ ବୃଦ୍ଧାଙ୍କୁ ପେନସନ ଆଉ ପିଡିଏସ ଚାଉଳ ବଣ୍ଟନ କରାଯିବା ପାଇଁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରିଛନ୍ତି ।
ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ ଏପରି ଏକ ଆନ୍ଦୋଳନ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ମଞ୍ଚକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ଇଟିଭି ଭାରତ, କୋରାପୁଟ