କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରେ 1570 ମସିହାରେ ନିର୍ମିତ ହୋଇଥିଲା ସର୍ବ ପୁରାତନ ଜଗନ୍ନାଥ ମନ୍ଦିର । ସେହି ସମୟରେ ଏହି ଜଗନ୍ନାଥ ମନ୍ଦିରର ଦାୟିତ୍ଵ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ବର୍ତ୍ତମାନର ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାକର ରାଓ ।
ଗତ ଷାଠିଏ ବର୍ଷ ପୂର୍ବେ ନାରାୟଣପାଟଣାର ଜନୈକ ବ୍ୟବସାୟୀ ସୂର୍ଯ୍ୟ ନାରାୟଣ ତାଙ୍କ ପୈତୃକ ସମ୍ପତ୍ତିରୁ କିଛି ଜାଗାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କରିବା ସହ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ତୁଲାଇବା ନିମନ୍ତେ ଆଉ ଚାରି ଏକର ଜମି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦାନ ଦେଇଥିବା ରାଓ ଜଣାଇଛନ୍ତି । ହେଲେ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣ ନହୋଇପାରିବା ଯୋଗୁଁ ଏହି ଘରଟି ଅସୁରକ୍ଷିତ ହୋଇପଡିଥିବା ବେଳେ ସ୍ବର୍ଗତଃ ସୂର୍ଯ୍ୟନାରାୟଣଙ୍କ ଭାଇଙ୍କ ସନ୍ତାନମାନେ ଏହି ଚାରି ଏକର ଜମିକୁ ଅକ୍ତିଆର କରି ତାକୁ ବିକ୍ରି କରିବାକୁ ଆରମ୍ଭ କରିଥିବା ନେଇ ଶ୍ରୀ ରାଓ ଅଭିଯୋଗ କରିଛନ୍ତି ।
ତେଣୁ ମନ୍ଦିର ପରିଚାଳନା କମିଟି ଚଳିତ ବର୍ଷଠାରୁ ଷାଠିଏ ବର୍ଷ ପୂର୍ବେ ଶ୍ରୀଗୁଣ୍ଡିଚା ମନ୍ଦିର ଥିବା ସ୍ଥାନକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଥିବା କମିଟିର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି ଜଣାଇଛନ୍ତି । କିନ୍ତୁ ଇତିମଧ୍ୟରେ ସେହି ସ୍ଥାନରେ ବ୍ଲକ ପ୍ରଶାସନ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିସାରିଛନ୍ତି ।
ସୂର୍ଯ୍ୟ ନାରାୟଣଙ୍କ ପୁଅ ଗୋବିନ୍ଦ ରାଜୁ ତାଙ୍କ ବାପା ଦାନ କରିଥିବା ଜମିକୁ ପୁଣିଥରେ ମନ୍ଦିରକୁ ଫେରାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବେଳେ ସୂର୍ଯ୍ୟ ନାରାୟଣଙ୍କ ଭାଇଙ୍କ ପୁଅ କ୍ରିଷ୍ଣା ମୂର୍ତ୍ତି ସେ ମନ୍ଦିରକୁ ଦାନ ଦିଆଯାଇଥିବା ଜମିକୁ ବିକ୍ରି କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ବଡ଼ ବାପା କେବଳ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଜାଗା ଦାନ କରିବାସହ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କରି ଦେଇଥିବା କାଗଜ ପତ୍ର ତାଙ୍କ ପାଖରେ ଥିବା କହିଛନ୍ତି ।
ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପୁନରୁଦ୍ଧାର କରିବା ପାଇଁ ସେ ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ 500 ବର୍ଷର ଇତିହାସ ବହନ କରିଥିବା ଜଗନ୍ନାଥ ମନ୍ଦିର ସରକାରୀ ସହଯୋଗ ନପାଇ ବହୁ ଘାତପ୍ରତିଘାତ ମଧ୍ୟ ଦେଇ ଚାଲିଛି । ଶ୍ରୀ ଗୁଣ୍ଡିଚା ମନ୍ଦିରର ଜାଗାକୁ ନେଇ ଚାଲିଥିବା ଛକାପଞ୍ଜାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ନଚେତ କୋରାପୁଟ ଅଞ୍ଚଳର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ଗୌରବ ଓ ଗାରିମା ଇତିହାସର ଗର୍ଭରେ ବିଲୀନ ହୋଇଯିବ ବୋଲି ମନ୍ଦିରର ପୂଜକ ଅଜିତ କୁମାର ତ୍ରିପାଠୀ ଆଶଙ୍କା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ