କୋରାପୁଟ: ମହାମାରୀ କୋରୋନାକୁ ନେଇ 144 ଧାରା ଲାଗିବ ନାହିଁ । କୋରୋନା ନିୟନ୍ତ୍ରଣ ପାଇଁ କୋରାପୁଟ ଜିଲ୍ଲାର ରାସ୍ତାଘାଟରେ ପ୍ରଶାସନ ତରଫରୁ 144 ଧାରା ଲଗାଯିବା ସମ୍ଭାବନା ଥିବା ଗୁଜବକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଖଣ୍ଡନ କରିଛନ୍ତି ।
କୋରାପୁଟ ଜିଲ୍ଲାରେ ସହର ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରାଯିବା ସହ ଲୋକେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଦିଗରେ ପଦକ୍ଷେପ ନେଉଥିବା ଜିଲ୍ଲାପାଳ ଜଣାଇଛନ୍ତି । ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯାଇଥିବା ବେଳେ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଗାଁ ଗଣ୍ଡାରେ ଅଧିକ ଅସୁରକ୍ଷିତ ରହିବାର ସମ୍ଭାବନା ରହିଛି ।
ଏହି କାରଣରୁ ସେମାନଙ୍କୁ ଛାତ୍ରାବାସରେ ହିଁ ପ୍ରଧାନଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ସୁବିଧା ସହିତ ଏକ ସୁରକ୍ଷିତ ବାତାବରଣରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ସେ ଜଣାଇଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ଅତି ଆବଶ୍ୟକ ହେଲେ ସେମାନେ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଅନୁମତି ନେଇ ଛୁଟିରେ ଯାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।
ମଙ୍ଗଳବାର ଧାର୍ମିକ ଅନୁଷ୍ଠାନର ମୁଖ୍ୟ, ରାଜନୈତିକ ଦଳର ପ୍ରତିନିଧି, ଚାମ୍ବର ଅଫ କମର୍ସର ସଦସ୍ୟ ତଥା ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଆୟୋଜିତ ଏକ ସଚେତନତା ସଭାକୁ ଜିଲ୍ଲାପାଳ ଅଧ୍ୟକ୍ଷତା କରି କୋରୋନା ମୁକାବିଲା କରିବା ଦିଗରେ ସେମାନଙ୍କ ସହଯୋଗ କାମନା କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ