ଭୁବନେଶ୍ବର: ଆଉ ଦିନ କେଇଟା ପରେ ରାଜ୍ୟରେ ହେବ ଉଭୟ ସାଧାରଣ ଏବଂ ବିଧାନସଭା ନିର୍ବାଚନ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ନବୀନ ସରକାର । ରବିବାର ମୟୂରଭଞ୍ଜ ଓ କେନ୍ଦୁଝର ଗସ୍ତ ପରେ ମଙ୍ଗଳବାର ଦକ୍ଷିଣ ଓଡିଶା ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଠାରେ ବିକାଶର ଚିତ୍ର ବଦଳାଇବା ସହ ମିଶନ ସେତୁର ଗୋଟି ଖୋଳିବେ ।
ମଙ୍ଗଳବାର ଦକ୍ଷିଣ ଓଡିଶାର ଦୁଇ ଦୁଇଟି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ 11ଟା 55ରେ ନବରଙ୍ଗପୁରର ଉମରକୋଟରେ ଆୟୋଜିତ ଏକ ଜନସଭାରେ ସେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1096 କୋଟି ଟଙ୍କା ମୂଲ୍ଯର 16ଟି ପ୍ରକଳ୍ପର ଭିତ୍ତିପସ୍ତର ସ୍ଥାପନ କରିବେ । ତେବେ ଏଥିରେ ଭଣ୍ଡାରୀ ନଦୀ ଉପରେ ଦୁଇଟି ସେତୁ ସମେତ ଜିଲ୍ଲାରେ ମୋଟ 6ଟି ସେତୁ ନିର୍ମାଣ ପ୍ରକଳ୍ପ ସାମିଲ ହୋଇଛି ।
ସେହିପରି ଅପରାହ୍ନ 3ଟାରେ ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ଯିବେ । ଜୟପୁରସ୍ଥିତ ଏକମ୍ୱା ପଡିଆରେ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶକୁ ସମ୍ବୋଧିତ କରିବେ । କୋରାପୁଟବାସୀଙ୍କୁ ଏହି ପଡିଆରୁ 1136.41 କୋଟି ଟଙ୍କାର 31ଟି ପ୍ରକଳ୍ପ ଭେଟି ଦେବେ। ଏହି ପ୍ରକଳ୍ପ ମଧ୍ୟରେ ଅଧିକାଂଶ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ରହିଥିବାବେଳେ କୋଲାବ ନଦୀ ଉପରେ ସେତୁ ନିର୍ମାଣ ମଧ୍ୟ ସାମିଲ ହୋଇଛି ।