କୋରାପୁଟ: ଜିଲ୍ଲାର ବିଭିନ୍ନ ରାସ୍ତାକଡ଼ରେ ବସ୍ତ୍ର ବ୍ୟବସାୟ କରି ଚାଲିଛନ୍ତି ଗଣେଶ । ସୁଦୂର ତାମିଲନାଡୁର ଥିରୁପୂର ଅଞ୍ଚଳରେ ଥିବା ବିଭିନ୍ନ ସୂତାକଳ ସହ ସମ୍ପର୍କ ସ୍ଥାପନ କରି ଏହି ତାମିଲ ବ୍ୟକ୍ତି ଗତ 25 ବର୍ଷ ହେବ ବ୍ୟବସାୟ କରୁଛନ୍ତି । ଏହାସହ ସେ ତାମିଲ, ତେଲୁଗୁ, କନ୍ନଡ ଭଳି ଅନେକ ଭାଷା ଅନର୍ଗଳ କହୁଥିବା ଦେଖିବାକୁ ମିଳିଛି ।
କୋରାପୁଟ ସହରର ଏକ ରାସ୍ତାକଡ଼ରେ ଖରାଦିନିଆ ସାର୍ଟ, ଟି-ସାର୍ଟ ଆଦି ବିକ୍ରୟ କରୁଥିବା ବେଳେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବ୍ୟବସାୟ କରୁ କରୁ ତାମିଲ, କନ୍ନଡ, ତେଲୁଗୁ, ହିନ୍ଦୀ ସାଙ୍ଗକୁ ଖଣ୍ଡି ଓଡ଼ିଆ ମଧ୍ୟ କହିବା ଓ ବୁଝିବାରେ ଦକ୍ଷତା ହାସଲ କରିଥିବା ଗଣେଶ ବ୍ୟକ୍ତ କରିଛନ୍ତି । କମ୍ ଲାଭ ରଖି ଏହି ବସ୍ତ୍ରକୁ ବିକୁଥିବା ଯୋଗୁଁ ସେ ପ୍ରତିବର୍ଷ ବହୁ ପରିମାଣର ବସ୍ତ୍ର ବିକ୍ରୟ କରିପାରିଥିବା ସ୍ପଷ୍ଟ କରିଛନ୍ତି । ଫେରିବାଲା ହେଲେ ବି ଗ୍ରାହକଙ୍କ ମଧ୍ୟରେ ତାଙ୍କ ବ୍ୟବସାୟ ଉପରେ ବିଶ୍ବାସ ରହିଛି ।
ଗଣେଶ ଆବଶ୍ୟକ ସ୍ଥଳେ ଗ୍ରାହକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଏହି ସ୍ଥାନକୁ ଆସି ବ୍ୟବସାୟ କରିପାରିଥିବା କହିଛନ୍ତି । ଅପରପକ୍ଷେ ଗ୍ରାହକ ମଧ୍ୟ ତାଙ୍କ ଠାରୁ କମ୍ ଦାମରେ ଉତ୍ତମ ବସ୍ତ୍ର ପାଇ ରାସ୍ତାକଡ଼ରେ ତାଙ୍କୁ ଦେଖିବା ପରେ ଅଟକି ଯାଇ ବସ୍ତ୍ର କିଣୁଥିବା ଦେଖିବାକୁ ମିଳିଛି । ଯୁବପିଢି ଗଣେଶଙ୍କ ଭଳି କର୍ମକୁ ନିଜର ଗୁରୁ ଭାବେ ପରିଗଣିତ କରି ଯେକୌଣସି କାର୍ଯ୍ୟକୁ ଶ୍ରଦ୍ଧାର ସହ କଲେ ଜୀବନରେ ଉନ୍ନତି ଯେ ସମ୍ଭବ ତାହା ହୃଦୟଙ୍ଗମ କରିପାରନ୍ତେ ବୋଲି ମତପ୍ରକାଶ ପାଇଛି ।
କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ