କୋରାପୁଟ: ଭାରତର ସଂସ୍କୃତି ଓ ଜୀବନଶୈଳୀକୁ ସମୃଦ୍ଧ କରିବାରେ ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀର ଅବଦାନ ଉପରେ ଦୁଇ ଦିନିଆ ଜାତୀୟ ସେମିନାର କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ନୂଆଦିଲ୍ଲୀରେ ଥିବା ଆଦିବାସୀ ଜ୍ଞାନ ଗବେଷଣା କେନ୍ଦ୍ର (ଟିକେଆରସି) ଓ ଓଡ଼ିଶାର ବନବାସୀ କଲ୍ୟାଣ ଆଶ୍ରମର ମିଳିତ ସହଯୋଗରେ ବିଶ୍ବବିଦ୍ୟାଳୟ ପକ୍ଷରୁ 'ଭାରତୀୟ ସମାଜ ଗଠନରେ ଜନଜାତିଙ୍କ ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ପରମ୍ପରାର ଗୁରୁତ୍ବ' ଶୀର୍ଷକ ସେମିନାର ଆୟୋଜନ କରାଯାଇଛି । ଏହି ଦୁଇ ଦିନିଆ ସେମିନାରକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଅବସରରେ ଟ୍ରାଇଫେଡ୍ର ଉପାଧ୍ୟକ୍ଷ ପବିତ୍ର କହଁର ମୁଖ୍ୟ ଅତିଥି ଏବଂ ଟିକେଆରସିର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଡ. ବିନୋଦ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ବରିଷ୍ଠ ସଦସ୍ୟ ଗିରିଶ କୁବେର, ଆଦିବାସୀ ଅଧିକାର କର୍ମୀ ଶ୍ୟାମ ପ୍ରସାଦ ଯୋଗ ଦେଇଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ତଥା ସେମିନାରର ଆୟୋଜକ ଡ. କପିଳା ଖେମୁଣ୍ଡୁ ଜଣାଇଛନ୍ତି ।
ଏହି ଅବସରରେ ପ୍ରଫେସର ତ୍ରିପାଠୀ କହିଥିଲେ ଯେ, ଆଦିବାସୀଙ୍କ ଜୀବନଶୈଳୀ ଅନନ୍ୟ ଏବଂ ଏହାକୁ ସମସ୍ତ ଲୋକ ଅନୁସରଣ କରିବା ଉଚିତ । ଆଦିବାସୀମାନଙ୍କର ଖୁସିର ସ୍ତର ଆଶ୍ଚର୍ଯ୍ୟଜନକ ଏବଂ ସେମାନେ କେବେ ବି ଭୌତିକ ଆବଶ୍ୟକତା ପାଇଁ ଲାଳାୟିତ ହୁଅନ୍ତି ନାହିଁ । ସେମାନେ ନିଜ ଜୀବନରେ ଯାହା ବି ରୋଜଗାର କରନ୍ତି ସେଥିରେ ଖୁସି ଥାଆନ୍ତି । ଆମେ ଶିକ୍ଷିତ, କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଆମେ ଆମ ସଂସ୍କୃତିକୁ ଭୁଲି ଯାଇଛୁ । ତେଣୁ ଆମେ ଯଦି ଏହି ଦୁନିଆରେ ସୁଖ ଚାହୁଁଛୁ ତେବେ ଆଦିବାସୀ ସଂସ୍କୃତିକୁ ଅନୁସରଣ କରିବା ଉଚିତ୍ । ଛାତ୍ରଛାତ୍ରୀଙ୍କୁ ଅତିକମରେ କୌଣସି ଦିନ ୧୦ ଘଣ୍ଟା ଆଦିବାସୀଙ୍କ ସହ ରହିବାକୁ ସେ ସମସ୍ତ ଅଧ୍ୟାପକଙ୍କୁ ଅନୁରୋଧ କରିଥିଲେ । ବିଶ୍ବବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ଏହି ଅଞ୍ଚଳର ଆଦିବାସୀ ସାଂସ୍କୃତିକ ସମ୍ପଦକୁ ସଂରକ୍ଷିତ ରଖିବା । ବିଶ୍ବବିଦ୍ୟାଳୟ ଏହାର ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଥିଲେ ।
ଏହା ମଧ୍ୟ ପଢନ୍ତୁ ... ଶାବର ଶ୍ରୀକ୍ଷେତ୍ରରୁ ଗଡ଼ିଲା ଜଗନ୍ନାଥଙ୍କ ଅର୍ପଣ ରଥ
ମାନବୀୟ ସମ୍ପର୍କ, ଆଦିବାସୀଙ୍କ ସଙ୍ଗୀତ, ନୃତ୍ୟ, ପରମ୍ପରା, ଚାଷ ପ୍ରକ୍ରିୟା ଜନଜାତି ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ସେମାନଙ୍କ ସାଂସ୍କୃତିକ ବିଭବର ନିଦର୍ଶନ ହୋଇ ରହିଛି ବୋଲି ଜନଜାତିଙ୍କ ଉପରେ ଗବେଷଣାରତ ହାଇଦ୍ରାବାଦସ୍ଥିତ ଶକ୍ତି ଅନୁଷ୍ଠାନର ବରିଷ୍ଠ ଗବେଷକ ଶିବରାମ କ୍ରିଷ୍ଣା ମତ ରଖିଛନ୍ତି । ପୂର୍ବଘାଟ ପର୍ବତମାଳାର ଜନଜାତିଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟକୁ ନେଇ ଶିବରାମଙ୍କ ଦ୍ଵାରା ସଂକଳିତ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି । ପର୍ବତର ସ୍ବାସ୍ଥ୍ୟ ଉପରେ ସମତଳ ଅଞ୍ଚଳର ସମ୍ପଦ ନିର୍ଭର କରେ ବୋଲି ମନ୍ତବ୍ୟ ଉପସ୍ଥାପନ କରି କୋରାପୁଟଠାରୁ ଆରମ୍ଭରେ କରି ତେଲେଙ୍ଗାନା ପର୍ଯ୍ୟନ୍ତ ପାର୍ବତ୍ୟାଞ୍ଚଳକୁ କେବଳ ଏକ ସଂଘର୍ଷପୂର୍ଣ୍ଣ ଅଶାନ୍ତ ଅଞ୍ଚଳ ଭାବେ ପରିଗଣିତ କରି ବାସ୍ତବିକ ବିକାଶ ଠାରୁ ବହୁ ଦୂରରେ ରଖାଯାଇଛି ବୋଲି ଶିବରାମ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ଜନଜାତି ଓ ମୁଖ୍ୟସ୍ରୋତର ବିକାଶର ଧାରା ମଧ୍ୟରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତଥା ଆନ୍ଧ୍ରପ୍ରଦେଶସ୍ଥିତ ଜନଜାତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମିଳିତ ଭାବେ ଏହି ଅଞ୍ଚଳରେ ବାସ କରୁଥିବା ସମସ୍ତ ଜନଜାତିଙ୍କ ବାସ୍ତବିକ ଆବଶ୍ୟକତା ସମ୍ପର୍କରେ ଗବେଷଣା କରି ସେମାନଙ୍କ ବିକାଶ କିପରି ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଆଦିବାସୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ ବି.କୋଟାୟା ମତ ଦେଇଥିଲେ ।
ଇଟିଭି ଭାରତ , କୋରାପୁଟ